Breaking PLUSଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଆଜି ବିଏମସିରେ ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର :ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ରାଜ୍ୟ ସରକାର ନୂଆ କମିସନର ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ କୁଲାଙ୍ଗେ ସୋମବାର ବିଏମସିରେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ ତାଙ୍କ ପାଇଁ ଗୁଡ଼ାଏ ଆହ୍ୱାନ ରହିଛି। ଯଦିଓ ଗଞ୍ଜାମ ଭଳି ଜିଲ୍ଲାରେ ସେ ଦକ୍ଷତାର ସହ କାର୍ଯ୍ୟକରି ରାଜ୍ୟର ଜଣେ ଚର୍ଚ୍ଚିତ ପ୍ରଶାସକ ଭାବେ ପରିଚୟ ପାଇଛନ୍ତି, ହେଲେ ବିଏମ୍‍ସିରେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିଛି। ବିଶେଷକରି ମୌସୁମୀ ଭୁବନେଶ୍ୱର ଛୁଇଁବାକୁ ଥିବାରୁ ଏବେଠାରୁ ରାଜଧାନୀର ସ୍ଥିତି କିପରି ରହିବ ତାକୁ ନେଇ ଚିନ୍ତା ବଢିଯାଇଛି। ବର୍ଷା ଦିନେ ରାଜଧାନୀରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ସମେତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ପାଇଁ ସେ କେଉଁ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନେକ ଡ୍ରେନ୍‍ କାମ ଏବେ ବି ମଧ୍ୟ ଅଧା ହୋଇପଡ଼ି ରହିଛି। ୱାର୍ଡରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲେ କର୍ପୋରେଟରମାନେ କର୍ପୋରେସନ ବୈଠକରେ ହୋ ହାଲ୍ଲା କରିବେ। ସମାନ ଭାବେ ଇସ୍କନ ମନ୍ଦିର ଆଗ, ଜନପଥ, ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ଏବେ ଭୁବନେଶ୍ୱର ସମେତ ଓଡ଼ିଶାର ଚର୍ଚ୍ଚିତ ଘଟଣା ସବୁ ରହିଛି। ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ବତନ କମିସନରମାନେ ଅଣ୍ଟା ଭିଡ଼ିଥିଲେ ମଧ୍ୟ ସେମାନଙ୍କ ବଦଳି ହେଉ କିମ୍ବା ଅନ୍ୟ କେଉଁ କାରଣ ପାଇଁ ଏହି ମିସନ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଛି। ତେଣୁ ଏହାର ମୁକାବିଲା ଏକ ବଡ଼ ଆହ୍ୱାନ ହେବ ବୋଲି ଜଣାପଡ଼ିଛି। ଜଳବନ୍ଦୀ ସମସ୍ୟା ବ୍ୟତୀତ ରାଜଧାନୀରେ ଗାଡ଼ି ପାର୍କିଂ ସମସ୍ୟା ଉଗ୍ର ହେବାରେ ଲାଗିଛି। ସହରର ପ୍ରମୁଖ ରାସ୍ତାରେ ପାର୍କିଂ ଯୋଗୁଁ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ସ୍ମାର୍ଟସିଟି ପକ୍ଷରୁ ଦୁଇଟି ମଲ୍ଟି ଲେଭଲ କାର୍‍ ପାର୍କିଂ ବିଲଡିଂ ନିର୍ମାଣ ସରିଥିଲେ ମଧ୍ୟ ମାର୍କେଟ୍‍ ବିଲ୍ଡିଂ ଓ ସହିଦ ନଗରକୁ ଛାଡ଼ି ଦେଲେ ବାକି ଅଞ୍ଚଳଗୁଡ଼କରେ ଏହି ସମସ୍ୟା ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ଅନେକ ସ୍ଥାନରେ ବେଆଇନ୍‍ ଭାବେ ପାର୍କିଂ ଫି’ ମଧ୍ୟ ଆଦାୟ କରାଯାଉଛି। ଏହି ସମସ୍ୟାକୁ ସମାଧାନ କରିବା ସହିତ ପାର୍କିଂ ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ରହିଥିବା ଅସନ୍ତୋଷ ପ୍ରଶମନ କରିବା ନୂଆ କମିସନରଙ୍କ ପାଇଁ ଆହ୍ୱାନ ହୋଇପାରେ।

Show More

Related Articles

Back to top button