ଓଡ଼ିଶାମୁଖ୍ୟ ଖବର

କୁହୁଡିର ଢାଙ୍କି ହେଲା ୯ଜିଲ୍ଲା

ଆସନ୍ତା ୧୨ରୁ କମିବା ଶୀତ, ସ୍ୱଳ୍ପ ବର୍ଷା ସମ୍ଭାବନା

ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଶୀତ ଧିରେଧିରେ କମିବ। ତେବେ ଗୁରୁବାର ବୌଦ୍ଧ, ବରଗଡ଼, କନ୍ଧମାଳ, କଟକ, ରାୟଗଡ଼ା,ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ । ଏନେଇ ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ପାଣିପାଗ ବିଭାଗର ସୂଚନାନୁସାରେ, ରାଜ୍ୟରେ ଆସନ୍ତା ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ବଢ଼ିବ । ତେଣୁ ଶୀତ କମିବ। ବୁଧବାର କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ରହିଥିଲା । କିନ୍ତୁ ଏହି ବଳୟ ଆସନ୍ତା ୭ଦିନ ଭିତରେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବା ହେତୁ ତାପମାତ୍ରା ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

ସେ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରରେ ୧୨ରୁ ୧୪ ତାରିଖ ମଧ୍ୟରେ ପ୍ରାୟ ୧.୫ ଡିଗ୍ରୀ ସେଲସିୟସ୍‌ ବଢ଼ିବାବେଳେ ସୁନ୍ଦରଗଡ଼ରେ ୨.୫ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୨ରୁ ୧୩ ତାରିଖ ମଧ୍ୟରେ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ୧୨ ତାରିଖ ରାତି କିମ୍ବା ୧୩ରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ଗୁରୁବାର ଓ ଶୁକ୍ରବାର ତାପମାତ୍ରା ସାମାନ୍ୟ କମିବ ।

ଏତତ୍ ବ୍ୟତୀତ, ରାଜ୍ୟର କେତେକାଂଶରେ କୁହୁଡ଼ି ଦେଖାଦେବ । ଜଳାଶୟ ଥିବା ସ୍ଥାନଗୁଡିକରେ ଅଧିକ କୁହୁଡି ରହିବ । ଏନେଇ ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ।

Show More

Related Articles

Back to top button