Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଥମୁନି ଉଦ୍ଧବ ଠାକରେଙ୍କ ସମସ୍ୟା, ଏବେ ଏକନାଥ ସିନ୍ଦେଙ୍କୁ ଭେଟିଲେ ଶିବସେନାର ଉପ ନେତା

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମସ୍ୟା ଥମିବାର ନାଁ ନେଉ ନାହିଁ। ମହାରାଷ୍ଟ୍ରରେ କ୍ଷମତା ହାତରୁ ଖସିବା ପରେ ନିଜ ପାର୍ଟିକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ହେଁ ତାଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ଏହା ମଧ୍ୟରେ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ବିଧାନସଭାରେ ଦଳର ଉପନେତା ଅର୍ଜୁନ ଖଟକର ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି।

ଜଲନା ଜିଲ୍ଲାରେ ଖଟକରଙ୍କ ଭଲ ପ୍ରଭାବ ରହିଛି। କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରାଓସାହେବ ଦାନଭେ ମଧ୍ୟ ଖଟକର ଏବଂ ସିନ୍ଦେଙ୍କ ସାକ୍ଷାତ ସମୟରେ ଉପସ୍ଥିତ ଥିଲେ। ଏହି ସାକ୍ଷାତପରେ ଚର୍ଚ୍ଚା ଜୋର ଧରିଛି ଯେ, ଅର୍ଜୁନ ଖଟକର ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ୍ ହୋଇ ପାରନ୍ତି। ଏହି ସାକ୍ଷାତ ଏଥିପାଇଁ ଗୁରୁତ୍ଵ ବହନ କରୁଛି କାରଣ ଦୁଇ ଦିନ ପୂର୍ବେ ଖଟକର କହିଥିଲେ ଯେ, ସେ ଜୀବନ ଥିବା ଯାଏଁ ଶିବସେନାରେ ରହିବେ। ଦଳର ମୁଖ୍ୟ ଉଦ୍ଧବ ଠାକରେ ଖଟକରଙ୍କୁ ବିଶ୍ଵସ୍ତ ଭାବି ମହାରାଷ୍ଟ୍ର ବିଧାନସଭାରେ ଦଳର ଉପନେତା ନିଯୁକ୍ତ କରିଥିଲେ। କିନ୍ତୁ ସୋମବାର ଖଟକର ସିଧା ଦିଲ୍ଲୀ ପହଞ୍ଚି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି। ବିଶ୍ଵାସ କରାଯାଉଛି ଯେ, ଏକନାଥ ସିନ୍ଦେ ଅର୍ଜୁନ ଖଟକର ଏବଂ ରାଓସାହେବ ଦାନଭେଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିଛନ୍ତି।

୨୦୧୯ରେ ଜଲନାରେ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା। ଏହି ସମୟରେ ଉଦ୍ଧବ ଠାକରେ ମଧ୍ୟସ୍ଥି ସାଜି ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦକୁ ପ୍ରଶମିତ କରିଥିଲେ। ଏବେ ଏକନାଥ ସିନ୍ଦେ ମଧ୍ୟସ୍ଥି ସାଜି ଦୁଇ ନେତାଙ୍କ ବିବାଦରେ ପୂର୍ଣ୍ଣଛେଦ ପକାଇଥିବା ଆଶା କରାଯାଉଛି। ଅନ୍ୟପଟେ ଅର୍ଜୁନ ଖଟକରଙ୍କ ଉପରେ ଇଡିର ଖଣ୍ଡା ଝୁଲୁଛି। ସେ ଯଦି ଏକନାଥଙ୍କ ଗୋଷ୍ଠୀରେ ସାମିଲ୍ ହୁଅନ୍ତି ତେବେ ତାଙ୍କ ଉପରେ ବିଜେପିର ଶୁଭ ଦୃଷ୍ଟି ପଡିପାରେ। ତେଣୁ ସେ ଉଦ୍ଧବଙ୍କୁ ଛାଡି ଏକନାଥଙ୍କ ଗୋଷ୍ଠୀରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

Show More

Related Articles

Back to top button