ପ୍ରେସର ଭରିବା ସମୟରେ ଜେସିବି ଚକା ବିସ୍ଫୋରଣରେ ୨ ମୃତ
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡ ରାୟପୁରରେ।

ରାୟପୁର: ପ୍ରେସର ଦେବା ସମୟରେ ଫାଟିଗଲା ଜେସିବି ଚକା। ଟାୟାର ଫାଟିବା ଯୋଗୁଁ ପାଖରେ ଥିବା ଦୁଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡ ରାୟପୁରରେ। ଏକ କାରଖାନାରେ ପ୍ରେସର ଭରିବା ସମୟରେ ଜେସିବି ଟାୟାର ବିସ୍ଫୋରଣ ହୋଇଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏହି ଦୁର୍ଘଟଣା ମେ’ ୩ ତାରିଖରେ ଘଟିଥିଲା ।ଯାହାର ଭିଡିଓ ଏବେ ସୋଶିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, କାରଖାନାରେ ଜଣେ କର୍ମଚାରୀ ଜେସିବିର ଟାୟାରକୁ ବାହାର କରି ସେଥିରେ ପ୍ରେସର ଦେଉଥିଲେ। ତେବେ ପ୍ରେସର ଦେବା ବେଳେ ସେ ଲଗାତାର ଟାୟାର ଉପରେ ବସି ପ୍ରେସର ଚେକ୍ କରିବା ପାଇଁ ଚେଷ୍ଟା କରୁଥିଲେ। ଏହାପରେ ହଠାତ୍ ଟାୟାରଟି ଫାଟିଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଟାୟାର ନିକଟରେ ଥିବା ଉଭୟ ଶ୍ରମିକ ପବନରେ ଉପରକୁ ଉଠି ଛିଟିକି ପଡିଥିଲେ। ଏଥି ସହିତ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଚାରିଆଡ଼େ ବିଛାଡି ପଡିଥିଲା। ଦୁଇ ମୃତକ ହେଲେ ରାଜପାଲ ସିଂହ ୩୨ ବର୍ଷୀୟ, ପ୍ରଜ୍ଞାନ ନାମଦେବ (୩୨ ବର୍ଷ)। ମୃତକ ଦୁଇଜଣ ମଧ୍ୟପ୍ରେଦଶ ରିୱାର ବାସିନ୍ଦା ବୋଲି ଜଣାପଡିଛି। କାରଖାନା ଭିତରେ ଥିବା ସିସିଟିଭି ଫୁଟେଜରେ ପୁରା ଘଟଣା କଏଦ ହୋଇଛି। ସିସିଟିଭି ଫୁଟେଜରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ କାରଖାନାରେ ଏକ ଜେସିବି ଛିଡା ହୋଇଛି। ସେଠାରେ କିଛି କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଜଣେ ଶ୍ରମିକ ଟାୟାରରେ ପ୍ରେସର ଦେଉଛନ୍ତି। ସେଠାରେ ଦୁଇଜଣ କର୍ମଚାରୀ ଠିଆ ହୋଇଛନ୍ତି। ତା’ପରେ ଟାୟାରଟି ହଠାତ ବିସ୍ଫୋରଣ ହେଉଛି।