Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତରେ ବ୍ୟାପିଲାଣି ଟମାଟୋ ଫ୍ଲୋ

ଏନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚେତାବନୀ ଜାରି କରିଛନ୍ତି। ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ୍‌(HFMD)କୁ ଟମାଟୋ ଫ୍ଲୋ ବୋଲି କୁହାଯାଉଛି।

କେରଳ, ତାମିଲ ନାଡୁ, ଓଡ଼ିଶା ଓ ହରିୟାଣାରୁ ପ୍ରାୟ ୧୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଣୁ ଆଗୁଆ ଏହି ରୋଗ ପ୍ରତି ଶତର୍କତା ଅବଲମ୍ବନ କରି ରାଜ୍ୟମାନଙ୍କୁ ଚେତାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ, ମେ ୬ ତାରିଖରେ କେରଳର କୋଲ୍ଲାମ ଜିଲ୍ଲାରେ ପ୍ରଥମ ଟମାଟୋ ଫ୍ଲୋ ରୋଗୀ ଚିହ୍ନଟ ହୋଇଥିଲା। ଏହାପରେ ଜୁଲାଇ ୨୬ ତାରିଖ ସୁଧା ୮୨ରୁ ଅଧିକ ପିଲା(୫ ବର୍ଷରୁ କମ) ଏହି ରୋଗରେ ସଂକ୍ରମିତ ହୋଇଥିବା ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ସୂଚନା ମିଳିଛି। ସେହିପରି କେରଳର ଅନ୍ୟ ଅଞ୍ଚଳ ଯଥା ଆଞ୍ଚଲ, ଆର୍ଯ୍ୟଙ୍କଭୁ ଏବଂ ନେଦୁଭଥୁରରେ ଟମାଟୋ ଫ୍ଲୋରେ ପ୍ରଭାବିତ ହୋଇଛି। ଏହି ରୋଗ କର୍ଣ୍ଣାଟକ ଓ ତାମିଲନାଡୁର ପଡ଼ୋଶୀ ରାଜ୍ୟଗୁଡ଼ିକୁ ବ୍ୟାପିବାର ଆଶଙ୍କା ରହିଛି। ଓଡ଼ିଶାରେ ୨୬ ପିଲା(୧-୯ ବର୍ଷ ବୟସ ଭିତରେ) ଏହି ରୋଗରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତେବେ ଓଡ଼ିଶା, ତାମିଲନାଡୁ, ହରିୟାଣା ଓ କେରଳକୁ ଛାଡ଼ି ଦେଲେ ଦେଶର ଅନ୍ୟ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ଟମାଟୋ ଫ୍ଲୋ ରୋଗୀ ଚିହ୍ନଟ ହୋଇ ନାହାନ୍ତି।

ଟମାଟୋ ଫ୍ଲୁର ଲକ୍ଷଣ ସମ୍ପର୍କରେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହି ରୋଗ ଏକ ଭୂତାଣୁ ଜନିତ ଚର୍ମ ରୋଗ। ଏହି ରୋଗର ଲକ୍ଷଣରୁ ଏହାର ଏପରି ନାମକରଣ କରାଯାଇଛି। ଟମାଟୋ ଫ୍ଲୋ ହେଲେ ଛୋଟ ଛୋଟ ଫୋଟକା ହୋଇଥାଏ। ପରେ ଏହା ଟମାଟୋ ପରି ଲାଲ୍ ହୋଇଯାଇଥାଏ। ତେଣୁ ଏହାକୁ ଟମାଟୋ ଫ୍ଲୋ ବୋଲି କୁହାଯାଉଛି। ଅନ୍ୟ ଭାଇରାଲ ରୋଗ ଭଳି ମଧ୍ୟ ଏହାର ଲକ୍ଷଣ ପ୍ରାୟ ସମାନ। ଏହି ରୋଗ ହେଲେ ପିଲାମାନଙ୍କୁ ଜ୍ୱର ହେବ, ଦେହରେ ଛୋଟ ଛୋଟ ଫୋଟକା ବାହାରି ପଡ଼ିବା ସହ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ତା ଛଡ଼ା ଡାଇରିଆ, ଲାଲ୍ ରଙ୍ଗରେ ଦେହ ଫଳିଯିବା, ଥକାପଣ ଅନୁଭବ ହେବା, ବାନ୍ତି ଲାଗିବା ବଦ ହଜମି ଓ ଆଣ୍ଠୁଗଣ୍ଠି ଫୁଲା ଭଳି ଲକ୍ଷଣ ମଧ୍ୟ ଦେଖାଯାଇଥାଏ।

ଏଥିରୁ କେମିତି ରକ୍ଷା ପାଇବେ ?

ସବୁ ଭୂତାଣୁ ରୋଗ ଭଳି ଏହାର ସଂକ୍ରମଣକୁ ରୋକିବା ପାଇଁ ରୋଗୀଙ୍କୁ ଆଇସୋଲେସନ୍‌ରେ ରହିବାକୁ ପଡ଼ିଥାଏ। ଅତି କମ୍‌ରେ ସପ୍ତାହେ ସଂଗରୋଧରେ ରହିବା ଉଚିତ୍। ଏହା ବାଦ୍‌ ରୋଗୀ ବ୍ୟବହାର କରୁଥିବା ସାମଗ୍ରୀକୁ ସୁସ୍ଥ ବ୍ୟକ୍ତି ବ୍ୟବହାର ନ କରିବା ସହ ଭାଇରସ ରହୁଥିବା ସ୍ଥାନ ଯଥା. ଶୋଫା, କମ୍ପ୍ୟୁଟର, ମାଉସ, ଚଟାଣ ଆଦି ସ୍ଥାନଗୁଡ଼ିକୁ ଭଲଭାବରେ ସାନିଟାଇଜ୍ କରିବା ଉଚିତ୍। ଏହି ରୋଗ ପାଇଁ ବର୍ତ୍ତମାନ ସୁଧା କୌଣସି ଟିକା କିମ୍ବା ଔଷଧ ବାହାରିପାରି ନାହିଁ। ତେଣୁ ସତର୍କତା ଅବଲମ୍ବନ କରି ଏହାର ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି।

Show More

Related Articles

Back to top button