ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ
ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରକଳ୍ପକୁ କରିବେ ଲୋକାର୍ପଣ

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ପୂର୍ବାହ୍ନ ୧୧ଟା ୪୫ରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ରାଜ୍ୟ ରାଜପଥ ଏବଂ ବୃହତ ଜିଲ୍ଲା ସଡ଼କ କାର୍ଯ୍ୟକ୍ରମ ପାଇଁ ‘ଆସୋମ ମାଲା’ କାର୍ଯ୍ୟକ୍ରମ ଆରମ୍ଭ କରିବେ।ଏହାପରେ ଅପରାହ୍ଣ ୪.୫୦ ମିନିଟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହଳଦିଆ ଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ବାରା ନିର୍ମାଣ କରାଯାଇଥିବା ଏଲପିଜି ରପ୍ତାନି ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

୧୧ଶହ କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲର ବାର୍ଷିକ କ୍ଷମତା ହେଉଛି ଏକ ମିଲିୟନ ମେଟ୍ରିକ୍ ଟନ୍। ଏହା ପଶ୍ଚିମବଙ୍ଗ ତଥା ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ଥିବା ଅନ୍ୟ ରାଜ୍ୟରେ ବୃଦ୍ଧି ପାଉଥିବା ଏଲପିଜି ଚାହିଦା ମେଣ୍ଟାଇବାରେ ସହାୟକ ହୋଇପାରିବ। ଏହା ମଧ୍ୟ ପ୍ରତ୍ୟେକ ପରିବାରକୁ ସ୍ବଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ବାସ୍ତବ ରୂପ ଦେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ।ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପ୍ରକଳ୍ପର ଏକ ଅଂଶ ଭାବେ ୩୪୮ କିମି ଲମ୍ବ ଧୋଭି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ‘ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡ ଲକ୍ଷ୍ୟ ହାସଲ ଦିଗରେ ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କୁହାଯାଉଛି ।