
ଭୁବନେଶ୍ୱର : ଓଟିଭିର ସାହାସିକତା ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆଜି ହେଉଛି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କ ଜନ୍ମସ୍ଥାନ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ଗାଁରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଛି। ଏହା ସହ ଅରିନ୍ଦମଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ମଧ୍ୟ କରାଯାଇଛି। ଏହି ସ୍ମୃତିସଭାରେ ଓଟିଭିର ଏମ୍ଡ଼ି ଜଗି ମଙ୍ଗତ ପଣ୍ଡା, ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର, ସିନିୟର ରିପୋର୍ଟର ହରିହର ଚାନ୍ଦ, ପ୍ରଡକ୍ସନ ହେଡ୍ ସୁନୀଲ ପ୍ରଧାନ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସେପ୍ଟେମ୍ବର ୨୪ ତାରିଖରେ ମୁଣ୍ଡଳି ବ୍ରିଜ୍ ନିକଟରେ ଏକ ହାତୀ ଫସି ରହିଥିବା ବେଳେ ଅରିନ୍ଦମ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ସେଠାକୁ ରିପୋର୍ଟିଂ କରିବା ପାଇଁ ଯାଇଥିଲେ। ଓଡ୍ରାଫ୍ ଟିମ୍ ବୋଟ୍ରେ ହାତୀକୁ ଘଉଡ଼ାଇବାକୁ ନଦୀ ଭିତରକୁ ଯାଇଥିଲା। ଅରିନ୍ଦମ ଓ ପ୍ରଭାତ ବି ସେମାନଙ୍କ ସହିତ ଯାଇଥିଲେ। ଆଉ ସେହି ସମୟରେ ପାଣିର ଶ୍ରୋତରେ ବୋଟ୍ଟି ଓଲଟି ପଡ଼ିଥିଲା। ଏଥିରେ ଅରିନ୍ଦମଙ୍କ ସହ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓଟିଭିର କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ସୁସ୍ଥ ହୋଇଥିଲେ। ଅରିନ୍ଦମଙ୍କ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ ହୋଇପଡ଼ିଥିଲା। କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଲୋକ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସ ହସ ଚେହେରାକୁ ଏବେ ବି ସମସ୍ତେ ଝୁରି ହେଉଛନ୍ତି। ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରି ନଥିଲେ।