ଦେଶମୁଖ୍ୟ ଖବର

ଆଜି ହେଉଛି ଜାତୀୟ ଯନ୍ତ୍ରୀ ଦିବସ

ଜାଣନ୍ତୁ ଆଧୁନିକ ମୈସୂର ସହରର ଜନକ ଭାରତ ରତ୍ନ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶରାୟଙ୍କ ସମ୍ବନ୍ଧରେ

ଆଜି ହେଉଛି ଇଞ୍ଜିନିୟର୍ସ ଡେ ବା ଯନ୍ତ୍ରୀ ଦିବସ । ସ୍ୱପ୍ନର ଭାରତ ନିର୍ମାଣ କରିବାରେ ବିଶ୍ୱକର୍ମା ସାଜିଥିବା ନିର୍ମାତାଙ୍କ ଦିନ ଆଜି । ଦେଶକୁ ଉନ୍ନତିର ଶିଖରରେ ପହଞ୍ଚେଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଯନ୍ତ୍ରୀ । ଚଳିତ ବର୍ଷର ଯନ୍ତ୍ରୀ ଦିବସର ଥିମ୍ ହେଉଛି ଏକ ସୁସ୍ଥ ଗ୍ରହ ପାଇଁ ଇଞ୍ଜିନିୟର । କୁହାଯାଏ ନିର୍ମାଣ ପରିବେଶ ପ୍ରତିକୂଳ କିନ୍ତୁ ଆଜିର ଦିନର ଉଦେଶ୍ୟ ଇକୋ ଫ୍ରେଣ୍ଡଲି । ତେବେ ଚାଲନ୍ତୁ ଜାଣିବା ଆଜିର ଦିନ ପାଳନ କରିବା ପଛର ରହସ୍ୟ । ଆଧୁନିକ ମୈସୂର ସହରର ଜନକ ଭାରତ ରତ୍ନ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶରାୟ ଏକାଧାରାରେ ଜଣେ ସ୍ଥପତି, ଯନ୍ତ୍ରୀ, ବୈଜ୍ଞାନିକ ଏଭଳି ଅନେକ ଭାବରେ ତାଙ୍କୁ ମନେ ରଖିଛି ଭାରତ । ଆଜି ମଧ୍ୟ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ମନେପଡେ ତାଙ୍କର ଦକ୍ଷତା ଏବଂ ଦୁରଦୃଷ୍ଚିର କଥା । ତାଙ୍କର ବିଚକ୍ଷଣ ଧୈର୍ଯ୍ୟ ଶକ୍ତି ସମସ୍ତଙ୍କୁ ଯେତିକି ବିସ୍ମିତ କରିଥିଲା, ତାଙ୍କର ସେତିକି ନିଷ୍ଠା ଏବଂ ପରିଶ୍ରମ ସମସ୍ତଙ୍କ ପାଇଁ ଉଦାହରଣ ହୋଇଥିଲା । ତାଙ୍କର ଅବଦାନ ଏବଂ ଦେଶର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଭୂମିକାକୁ ଗୁରିତ୍ୱ ଦେଇ ପ୍ରତିବର୍ଷ ସେପ୍ଟେମ୍ବର ୧୫ ରେ ଆମ ଦେଶରେ ପାଳିତ ହୁଏ ଇଞ୍ଜିନିୟର୍ସ ଡେ ବା ଯନ୍ତ୍ରୀ ଦିବସ ।

୧୮୬୦ ମସିହାରେ ବାଙ୍ଗଲୋରରେ ଜନ୍ମ ଗ୍ରହଣ କରିଥିଲେ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱଶରାୟ । ସିଭିଲ ଇଞ୍ଜିନିୟରିଂ କ୍ଷେତ୍ରରେ ତାଙ୍କର ରହିଛି ବଳିଷ୍ଠ ଅବଦାନ, ତାକୁ ମନେପକାଇବା ପାଇଁ ପାଳନ ହୁଏ ଏହି ଦିନ । କେବଳ ଭାରତ ନୁହେଁ ତାଙ୍କ ଜନ୍ମ ଦିନକୁ ଶ୍ରୀଲଙ୍କା ଓ ତାଂଜାନିଆରେ ମଧ୍ୟ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ । ମୈସୁରର କୃଷ୍ଣ ରାଜା ସାଗର ବନ୍ଧ ନିର୍ମାଣର ସେ ଥିଲେ ମୁଖ୍ୟ ଯନ୍ତ୍ରୀ । ହାଇଦ୍ରାବାଦ ସହରକୁ ବନ୍ୟା ଦାଉରୁ ରକ୍ଷା କରିବାପାଇଁ  ମୂଷୀ ଓ ଇଷା ନଦୀକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କର ଯେଉଁ ଉଦ୍ୟମ ଥିଲା ତାକୁ ସମସ୍ତେ ଆଜି ଯାଏଁ ମନେ ରଖିଛନ୍ତି । ବନ୍ଧ ବା କୌଣସି ସେତୁ ନିର୍ମାଣ ବେଳେ ତାଙ୍କ ପରାମର୍ଶକୁ ବେଶ୍ ଗୁରୁତ୍ୱ ଦିଆଯାଉଥିଲା । ବିଭିନ୍ନ ସରକାରୀ ଅଫିସ, ବ୍ୟାଙ୍କ ଓ ବିଶ୍ୱବିଦ୍ୟାଳୟ ନିର୍ମାଣର ସେ ପ୍ରମୁଖ ଯନ୍ତ୍ରୀ ଥିଲେ ।

ବିଦେଶରୁ ଜ୍ଞାନକୌଶଳ ଆହରଣ କରି ଆଧୁନିକ ଭାରତ ନିର୍ମାଣର ସ୍ୱପ୍ନ ଦେଖିଥିଲେ ସେ ଏବଂ ତାକୁ ପୁରଣ କରିବା ଦିଗରେ ଅହରହ ଉଦ୍ୟମ ମଧ୍ୟ କରିଥିଲେ । ଏପରିକି ସେ ୯୦ ବର୍ଷରେ ପଦାର୍ପଣ କରିବା ସମୟରେ ମଧ୍ୟ ବିହାର ମୋକାମା ଜିଲ୍ଲାରେ ଗଙ୍ଗାନଦୀ ଉପରେ ଯେତେବେଳେ ସେତୁ ନିର୍ମାଣ କଥା ଆସିଲା ସେ ତାଙ୍କର ପରାମର୍ଶ ଦେଇଥିଲେ । ଏହାବ୍ୟତିତ ରିକର୍ଣ୍ଣଷ୍ଟ୍ରକ୍ସନ ଇଣ୍ଡିଆ, ପ୍ରସପରିଟି ଥ୍ରୁ ଇଣ୍ଡଷ୍ଟ୍ରୀ ପୁସ୍ତକ ପାଇଁ ତାଙ୍କୁ ବ୍ରିଟିଶ ସରକାର ଉପାଧି ପ୍ରଦାନ କରିଥିଲେ । ଆଜିର ଦିନ ହେଉଛି ତାଙ୍କୁ ଏବଂ ଆମ ଦେଶକୁ ନୂଆ ମାର୍ଗ ପ୍ରଦାନ କରିଥିବା ଯନ୍ତ୍ରୀଙ୍କୁ ଏବଂ ତାଙ୍କ କାର୍ଯ୍ୟକୁ ସ୍ମରଣ କରିବାର ଦିନ । ତେବେ ଦେଶ ତାଙ୍କ ପଦ୍ଧତିକୁ ଅନୁସରଣ କରିବା ସହ ଇକୋଫ୍ରେଣ୍ଡଲି ନିର୍ମାଣକୁ ଧ୍ୟାନ ଦେବ । ଦେଶକୁ ନୂଆ ଆଧାରରେ ଆଗେଇ ନେବା ହେଉଛି ଏହି ଦିବସର ମୂଳ ଲକ୍ଷ ।

Show More

Related Articles

Back to top button