ଓଡ଼ିଶା

ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ

ଅଧିକ ଦିନ ଥରାଇବ

ଏ ବର୍ଷ ଥରାଇବ ଶୀତ ଲହରୀ । ଜବର ଜାଡ଼ ଅନୁଭୂତ ହେବ ଉତ୍ତର ଭାରତ ସମେତ ଅନେକ ଅଞ୍ଚଳରେ । ଓଡ଼ିଶାରେ ବି ଶୀତ ଲହରୀ ପ୍ରକୋପ ଅସହ୍ୟ ରହିବ । ସ୍ୱାଭାବିକଠାରୁ ପାରଦ ଅଧିକ ଖସିବ । ଖାଲି ସେତିକି ନୁହେଁ, ଶୀତର ଅବଧି ବି ଲମ୍ବା ରହିବ । ଏମିତି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏ ବର୍ଷ ବିଶ୍ୱମଣ୍ଡଳୀୟପ୍ରଶାନ୍ତ ମହାସାଗରରେ ଲା-ନିନା ପ୍ରଭାବ ରହୁଛି । ଏଥିଯୋଗୁ ତାପମାତ୍ରା କମିବ । ଉତ୍ତର ପୂର୍ବ ଏସିଆରେ ଏ ବର୍ଷ ଶୀତ ପ୍ରକୋପ ଅଧିକ ରହିବ । ଭାରତରେ ସ୍ୱାଭାବିକଠାରୁ ୩ ଡିଗ୍ରୀ କମ୍‌ ରହିବ ରାତି ତାପମାତ୍ରା । ଏହାର ପ୍ରଭାବ ଓଡ଼ିଶାରେ ବି ଅନୁଭୂତ ହେବ । ବର୍ତ୍ତମାନର ଆକଳନରୁ ଯାହା ଜଣାପଡ଼ୁଛି, ଶୀତ ପ୍ରକୋପ ରାଜ୍ୟରେ ଅଧିକ ରହିବ । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ନିମ୍ନଗାମୀ ହେବ । ୨୦୧୯ ଓ ୨୦୨୦ରେ ଲା-ନିନା ପ୍ରଭାବ ଯୋଗୁ ଶୀତ ଅଧିକ ରହିଥିଲା । କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଲା-ନିନା ପ୍ରଭାବରେ ଏ ବର୍ଷ ଶୀତ ଅଧିକ ଅନୁଭୂତ ହେବ । ଶୀତ ତୀବ୍ରତା ଅଧିକ ରହିବା ସହ ଏହାର ଅବଧି ବି ଅଧିକ ଦିନ ପର୍ଯ୍ୟନ୍ତ ଲମ୍ବିବ । ଅଧିକାଂଶ ବର୍ଷ ଫେବ୍ରୁଆରୀରେ ଶୀତ କମିବା ସହ ଗରମ ପ୍ରକୋପ ଆରମ୍ଭ ହୋଇଥାଏ । ଏଥର ଫେବ୍ରୁଆରୀରେ ମଧ୍ୟ ଭୀଷଣ ଜାଡ଼ ଅନୁଭୂତ ହେବା ସମ୍ଭାବନା ଅଛି ।ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପଶ୍ଚିମକୁ ମୁହାଁଇବ । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଶ୍ରୀଲଙ୍କାରେ ବର୍ଷା ସମ୍ଭାବନା ଅଛି ।

 

winter

ଡକ୍ଟର ପଶୁପାଳକଙ୍କ ଆକଳନ ହେଲା, ବଙ୍ଗୋପସାଗରରେ ଆଗକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାରେୀ ଅଧିକ ବର୍ଷା ହୋଇପାରେ । କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ତାଙ୍କ ଆକଳନ ଅନୁଯାୟୀ ୨୬, ୨୭, ୨୮ ଓ ୨୯ ତାରିଖରେ ରାତି ତାପମାତ୍ରା କମିବ । କେତେକ ଜାଗାରେ ପାରଦ ୨ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ଅଛି । ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା ଥିବାବେଳେ ପାଗ ମେଘୁଆ ରହିବ । ତେଣୁ ସେତେବେଳକୁ ରାତି ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ । ପାଣିପାଗ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ, ଟିଟିଲାଗଡ଼ ୧୭, ଭବାନୀପାଟଣା ୧୭.୪, କେନ୍ଦୁଝର ୧୭.୪, ସୋନପୁର ୧୭.୮, କୋରାପୁଟ ୧୮, ଅନୁଗୁଳ ୧୯, ଝାରସୁଗୁଡ଼ା ୧୯.୬, ହୀରାକୁଦ ୧୯.୫ ଡିଗ୍ରୀ ସେଲସିୟସ୍‌ ଥିଲା ।

Show More

Related Articles

Back to top button