Breaking PLUSଓଡ଼ିଶାପାଣିପାଗ

୪ ଦିନ ପରେ ପ୍ରବଳ ଶୀତ

ବାତ୍ୟା ଜୱାଦ ଯୋଗୁଁ ରାଜ୍ୟରେ ଶୀତ ଫିକା ପଡିଥିଲା । କିନ୍ତୁ ଆଉ ମାତ୍ର ୪ ଦିନ ପରେ ରାଜ୍ୟକୁ ପୁଣି ଶୀତ ଫେରିବାକୁ ଯାଉଛି । ଏଥର ପ୍ରବଳ ଶୀତ ଅନୁଭୂତ ହେବ । ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ କିଛି ମାତ୍ରାରେ କମିଥିଲା । ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା । ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବ ଓ ଆସନ୍ତା ୩ରୁ ୪ ଦିନ ଭିତରେ ଶୀତ ବଢ଼ିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

 

ସାମୁଦ୍ରିକ ଝଡ଼ ‘ଜୱାଦ’ର ଦୁର୍ବଳ ଅବଶେଷ ‘ଅବପାତ’ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି ।

ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଅଧିକ ଦୁର୍ବଳ ହୋଇ ସମୁଦ୍ରରେ ଲୀନ ହୋଇଯିବ । ଓଡ଼ିଶାରେ ଏହାର ଆଉ ବିଶେଷ ପ୍ରଭାବ ରହିବ ନାହିଁ । ତେଣୁ ଆଜିଠାରୁ ପାଗ ଶୁଖିଲା ଓ ଖରାଟିଆ ରହିବ । ୮ ତାରିଖ ଦିନ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଏହା ପରେ ସାରା ଓଡ଼ିଶାର ପାଗରେ ପରିବର୍ତ୍ତନ ଦେଖାଯିବ । ପାଗ ସମ୍ପୂର୍ଣ୍ଣ ଭାବେ ଶୁଖିଲା ଓ ଖରାଟିଆ ରହିବ । ୧୧ ତାରିଖରୁ ଶୀତର ପ୍ରକୋପ ମଧ୍ୟ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button