
ଅନ୍ଲାଇନ୍ରେ ମୋବାଇଲ୍ କିଣି ଠକାମିର ଶିକାର ହେଲେ ଯୁବତୀ । ଏହି ଯୁବତୀଜଣଙ୍କ ହେଉଛନ୍ତି ବାଣୀବିହାର ଅଞ୍ଚଳର । ତାଙ୍କ କହିବା ମୁତାବକ , ସେ କିଛିଦିନତଳେ ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ । ଏହି ବିଜ୍ଞାପନଟି ଏକ ବେନାମୀ ୱେବ୍ସାଇଟ୍ରେ ଉପଲବ୍ଧ ଥିଲାବେଳେ ଏଥିରେ ଉଲ୍ଲେଖ ଥିଲା ଯେ , ୫୦୦ ଟଙ୍କା ଦେଇ ନାଁ ପଞ୍ଜିକରଣ କଲେ ଏକ ଦାମୀ ମୋବାଇଲ୍ ମିଳିବ ।
ପ୍ରଲୋଭଲର ଶିକାର ହୋଇ ସେଥିରେ ଥିବା ନମ୍ବରକୁ ଯୁବତୀ ଯୋଗାଯୋଗ କରିଥିଲେ।ଯୋଗାଯୋଗ କରିବା ପରେ ସାଇବର ଠକ ତାଙ୍କୁ ମୋବାଇଲ୍ ପାଇବା ପାଇଁ ହେଲେ ପ୍ରଥମେ ୫୦୦ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ପଡିବ ବୋଲି କହିଥିଲା । ଠକର କଥା ଶୁଣି ଯୁବତୀ ଉକ୍ତ ସାଇଟ୍ରେ ନିଜ ନାମ ମଧ୍ୟ ପଞ୍ଜିକରଣ କରିଥିଲେ। ପରେ ସାଇବର ଠକ ତାଙ୍କୁ ୧୫୦୦ ଟଙ୍କା ମାଗିଥିଲା। ୧୫୦୦ ଟଙ୍କା ଦେବା ପରେ ମଧ୍ୟ ଯୁବତୀ ମୋବାଇଲ୍ ପାଇ ନଥିଲେ। ପରେ ଠକ ମୋବାଇଲ୍ ପାଇଁ ପୁଣି ମାଗିଥିଲା ୫ହଜାର ଟଙ୍କା ।
ଚାଲାଖି କରି ପର୍ଯ୍ୟାୟକ୍ରମେ ପ୍ରାୟ ସାଢ଼େ ୧୧ହଜାର ନେବା ପରେ ଯୁବତୀଜଣଙ୍କ ଠକେଇର ଶିକାର ହୋଇଥିବା କଥା ଜାଣିବାକୁ ପାଇଥିଲେ। ଯାହାଫଳରେ ଗତକାଲି ଏନେଇ ଯୁବତୀ ଭୁବନେଶ୍ବର ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।