
ପୁରୀ : ପୁରୁଷ ବେଶରେ ହୀରା ଲୁଟ୍ କଲେ ଯୁବତୀ । ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ପନ୍ଦର ଦିନିଆ କ୍ୟାମ୍ପରେ ଯୋଗ ଦେବାକୁ ଆସିଥିବା ଟ୍ରେନରଙ୍କର ସ୍କୁଟିର ଡିକି ଭାଙ୍ଗି ଜଣେ ପୁରୁଷ ବେଶଧାରୀ ଲୁଟେରା ଏକ ହୀରା ମୁଦି ସହ ଜରୁରୀ କାଗଜପତ୍ର ଲୁଟି ନେଇଛନ୍ତି । ଏହି ସମସ୍ତ ଦୃଶ୍ୟ ନିକଟରେ ଥିବା ସିସିଟିଭି କ୍ୟାମେରା ଫୁଟେଜ୍ରେ କଏଦ୍ ହୋଇଥିବାବେଳେ ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରାଯାଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ସରିତା ସାମଲ ନାମକ ଜଣେ ଯୁବତୀ ପୁରୀରେ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ଏକ ପନ୍ଦର ଦିନିଆ ତାଲିମ ଶିବିରରେ ଯୋଗ ଦେବାକୁ ଯାଇ ମାର୍କେଟ ଛକ ନିକଟସ୍ଥ ଏକ ଲଜିଂରେ ରହିଥିଲେ। ସେ ତାଙ୍କ ଓଡି-୩୪-ଏ-୪୨୫୫ ନମ୍ବର ବିଶିଷ୍ଟ ସ୍କୁଟି ଗାଡ଼ିକୁ ଏହି ଲଜ୍ ସମ୍ମୁଖରେ ରଖିଥିଲେ। ତେବେ ଗତକାଲି ସକାଳ ପ୍ରାୟ ୫ଟା ୧୫ ମିନିଟ ସମୟରେ ଜଣେ ଯୁବତୀ ପୁରୁଷ ବେଶରେ ଆସି ତାଙ୍କ ସ୍କୁଟିର ଡିକି ଭାଙ୍ଗି ସେଥିରେ ଥିବା ଏକ ହୀରା ମୁଦି, ଆଧାର କାର୍ଡ, ଭୋଟ ପରିଚୟପତ୍ର ଓ ଅନ୍ୟାନ୍ୟ କାର୍ଡ ଆଦି ଲୁଟି ନେଇଥିଲା। ଏହି ଲୁଟର ଦୃଶ୍ୟ କ୍ଲୋଜ୍ସର୍କିଟ୍ କ୍ୟାମେରାରେ ରେକଡିଂ ହୋଇଯାଇଛି। ଏହି ଫୁଟେଜକୁ ନେଇ ସରିତା କୁମ୍ଭାରପଡ଼ା ଥାନାରେ ଦେବା ସହିତ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କୁମ୍ଭାରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।