ଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

ଦୌପଦୀ ମୁର୍ମୁଙ୍କ ସଂଘର୍ଷମୟ କାହାଣୀ

ଦୌପଦୀ ମୁର୍ମୁଙ୍କ କାହାଣୀ ଥିଲା ଅତ୍ୟନ୍ତ ସଂଘର୍ଷମୟ । ୧୯୮୫ ମସିହା ଜୁନ୍ ୨୦ରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କ ପିତା ବିରଞ୍ଜି ନାରାୟଣ ଟୁଡୁ ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିଲେ । ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍‌ କରିଥିଲେ । ତାଙ୍କ ଉଚ୍ଚଶିକ୍ଷା ଭୁବନେଶ୍ବରରେ ଥିଲା । ୧୯୭୦ରେ ଆଦିବାସୀ ଛାତ୍ରୀ ନିବାସରେ ରହି ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ମାଟ୍ରିକ୍ ଓ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରୁ ସେ ଶିକ୍ଷା ଗ୍ରହଣ କରିଥିଲେ । ୧୯୭୯ରେ ସଚିବାଳୟରେ ଚାକିରି କରିଥିଲେ ।

ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ। ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା । ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ। ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍‌ ଆଦୌ ଯାଉ ନ ଥିଲେ । କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା। ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା । ସେ ସମୟରେ ରବି ଟକିଜ୍‌ ଗୋଟିଏ ମାତ୍ର ସିନେମା ହଲ୍‌ ରହିଥିଲା । ଯେଉଁଠାରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ ।

କୁସୁମୀ ବ୍ଲକ ପାହାଡପୁର ଗାଁର ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ସେ ପାଲଟି ଯାଉଥିଲେ ଦ୍ରୌପଦୀ ଟୁଡୁରୁ ଦୌପଦୀ ମୁର୍ମୁ । ଦୁଇଟି ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାର ଚାଲିଥିଲା । ସ୍ୱାମୀ ଅନ୍ୟ ସ୍ଥାନରେ ଚାକିରୀ କରିଥିଲେ । ତେଣୁ ପରିବାରର ଯତ୍ନ ନେବାକୁ ତାଙ୍କୁ ସରକାରୀ ଚାକିରୀ ଛାଡିବାକୁ ପଡିଥିଲା ।କିଛିଦିଲ ପରେ ସେ ସ୍ୱାମୀଙ୍କୁ ହରାଇଥିଲେ । ଆଉ ପରେ ଦୁଇପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ୱାମୀ ଓ ପୁଅଙ୍କୁ ହରାଇବା ପରେ ବି ଭାଙ୍ଗିପଡିନଥିଲେ ଏହି ଦୃଢମନା ମହିଳା । ଏକାମାତ୍ର ଝିଅ ଇତିଶ୍ରୀ ସହ ସଂଘର୍ଷ ଜରି ରଖି ଆଗକୁ ବଢିଚାଲିଥିଲେ ।

୧୯୯୭ରେ ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ରାଇରଙ୍ଗପୁରର କାଉଁନସିଲର ଭାବେ ନିର୍ବାଚିତ ହେବା ସହ ରାଇରଙ୍ଗପୁର ଉପାଧ୍ୟକ୍ଷ ହୋଇଥିଲେ । ୨୦୦୦ ମସିହାରେ ସେ ରାଇରଙ୍ଗପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨ରେ ସେ ପରିବହନ ଏବଂ ବାଣିଜ୍ୟ ବିଭାଗର ମନ୍ତ୍ରୀ ଥିଲେ ।
ପରେ ତାଙ୍କୁ ମତ୍ସ୍ର ଓ ପଶୁ ସମ୍ପଦ ବିଭାଗ ଦାୟିତ୍ୱ ଦିଆଯାଇଥିଲା ଏବଂ ୨୦୦୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ । ୨୦୦୨ରୁୁ ୨୦୦୯ ଯାଏ ଶ୍ରୀମତୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ଥିଲେ । ୨୦୦୪ରେ ସେ ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୬ରୁ ୨୦୦୯ ଯାଏ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ ବିଜେପିଅନୂସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ହୋଇଥିଲେ । ୨୦୧୦ ସେ ପୁଣି ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ ।୨୦୧୩ ସେ ତୃତୀୟ ଥର ପାଇଁ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ ଏବଂ ୨୦୧୫ ଯାଏ ରହିଥିଲେ ।୨୦୧୫ରେ ଦ୍ରୌପଦୀ ମୁର୍ମୁ ଝାରଖଣ୍ଡର ରାଜପାଳ ହୋଇଥିଲେ । ୨୦୨୨ରେ ତାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ।

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦୌପଦୀ ମୁର୍ମୁ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଥିଲେ । ସେ ରାଜ୍ୟପାଳ ଥିବା ସମୟରେ ଗାଁ ଗାଁ ବୁଲି ଲୋକଙ୍କ ସେବା କରିଥିଲେ । ସେ ରାଜ୍ୟପାଳ ଥିବା ସମୟରେ ୩୦୦ରୁ ଅଧିକ ବାଳିକା ବିଦ୍ୟାଳୟ, ଘରୋଇ ସ୍କୁଲ ମଧ୍ୟ ବୁଲିଥିଲେ । ଶିକ୍ଷା ବ୍ୟବସ୍ଥାରେ କଣ କମି ରହିଛି ତାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ସେ ରବର ଷ୍ଟାମ୍ପ ନ ଥିଲେ ସେ ଥିଲେ ଲୋକଙ୍କ ରାଜ୍ୟପାଳ ।ପରେ ସେ ପୁଣି ଆସି ବିଜେପିରେ ଯୋଗଦେଇଥିଲେ । କାଉଁନସିଲରୁ ରାଜ୍ୟପାଳ ହୋଇଥିବା ଦୌପଦୀ ମୁର୍ମୁଙ୍କ କୌଣସି ବଡ ରାଜନୈତିକ ପଦବୀ ପାଇଁ ଅଶା କିମ୍ବା ଅଭିଳାସ ନ ଥିଲା । ଦଳ ପ୍ରତି ସବୁବେଳେ ନିଷ୍ଠାପର ରହି ଜଣେ କର୍ମୀ ଭାବେ କାର୍ଯ୍ୟ କରିବାକୁ ଲକ୍ଷ ରହିଥିଲେ । ଯଦି ତାଙ୍କ ପାଖରେ ସେପରି କିଛି ଗୁଣ ଥିବ ଦଳ ତାଙ୍କୁ ସୁଯୋଗ ଦେବ ବୋଲି ସେ କହିଥିଲେ । ଆଉ ଆଜି ତାଙ୍କୁ ମିଳିଛି ନିଷ୍ଠାର ଫଳ ।

ଆସନ୍ତା ୨୫ ତାରିଖରେ ସେ ନିଜର ନାମାଙ୍କନପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ବୈଠକ ପୂର୍ବରୁ ଶାହ, ନଡ୍ଡା ଓ ରାଜନାଥ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ଚର୍ଚ୍ଚା ହେଉଥିଲା କି ନାଇଡୁ ରାଷ୍ଟପ୍ରତି ପ୍ରାର୍ଥୀ ହୋଇପାରନ୍ତି । କିନ୍ତୁ ଶ୍ରୀମତୀ ମୁର୍ମୁଙ୍କ ନାମ ଘୋଷଣା ପରେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ବୈଠକରେ ମୋଦିଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ବରିଷ୍ଠ ନେତା ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ, ଶିବରାଜ ସିଂହ ଚୌହାନ ଓ ବି.ଏଲ୍‌ ସନ୍ତୋଷ ପ୍ରମୁଖ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ଏବଂ ୨୧ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

Show More

Related Articles

Back to top button