Breaking PLUSଓଡ଼ିଶାମୁଖ୍ୟ ଖବର

ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କଲେ ରାଜ୍ୟସରକାର

ଭାରତୀୟ ସାହିତ୍ୟର ଅନନ୍ୟ କଥାଶିଳ୍ପୀ ତଥା ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତଃ ମନୋଜ ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଓଡ଼ିଶା ସରକାର ପ୍ରଦାନ କରିବେ "ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର' । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ପ୍ରତିବର୍ଷ ଦିଆଯିବ

ଭାରତୀୟ ସାହିତ୍ୟର ଅନନ୍ୟ କଥାଶିଳ୍ପୀ ତଥା ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତଃ ମନୋଜ ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଓଡ଼ିଶା ସରକାର ପ୍ରଦାନ କରିବେ “ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ପ୍ରତିବର୍ଷ ଦିଆଯିବ । ପୁରସ୍କାର ପାଇଁ ମନୋନୀତ ସାହିତ୍ୟିକଙ୍କୁ ପୁରସ୍କାର ରାଶି ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

ଆନ୍ତର୍ଜାତିକସ୍ତରର ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ ପରେ ତାଙ୍କ ସ୍ମୃତି ରକ୍ଷା ସହ ଓଡ଼ିଆ ସାହିତ୍ୟିକମାନଙ୍କୁ ଉତ୍ସାହିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଛଡ଼ା ହାଇସ୍କୁଲ ସ୍ତରରୁ ପିଲାମାନଙ୍କ ସାହିତ୍ୟ ସୃଜନଶୀଳତାକୁ ଅଧିକ ଉତ୍ସାହିତ କରିବାକୁ ମଧ୍ୟ ସ୍ୱତନ୍ତ୍ର ଭାବେ ପୁରସ୍କାର ପ୍ରଦାନ କରାଯିବ । ଯୁବପିଢି ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ମୌଳିକ ରଚନା ପାଇଁ “ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଅଲଗା ଗୋଟିଏ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ । ଏ ପୁରସ୍କାର ବାବଦକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମ ସ୍ଥାନ ବାଲେଶ୍ୱର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ । ଏ ବାସଭବନକୁ ପ୍ରଥିତଯଶା ଭାତୃଦ୍ୱୟ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି ଦୁଇ ଭାଇଙ୍କ ନାମରେ “ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘାଷଣା କରାଯିବ । ସେଠାରେ ଉଭୟ ମନ୍ମଥ ଓ ମନୋଜଙ୍କ ଦ୍ୱାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ । ବାସଭବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ କରିବାକୁ ସରକାର ସବୁପ୍ରକାର ପଦକ୍ଷେପ ନେବେ ।

ସ୍ୱର୍ଗତଃ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ । ସୂଚନାଯୋଗ୍ୟ, ସ୍ୱର୍ଗତଃ ଦାସଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପରିବାରର ସଦସ୍ୟମାନଙ୍କ ସହ ଟେଲିଫାନରେ କଥା ହୋଇ ସମବେଦନା ଜଣାଇବା ସହ ମନୋଜଙ୍କ ସ୍ମୃତି ରକ୍ଷା ସଂପର୍କରେ ଆଲୋଚନା କରିଥିଲେ । ପ୍ରତିଥଯଶା ସାହିତ୍ୟିକ ସ୍ୱର୍ଗତଃ ଦାସଙ୍କ ସ୍ମୃତି ଓ ସମ୍ମାନାର୍ଥେ ରାଜ୍ୟ ସରକାରଙ୍କ ଏଭଳି ବଡ଼ ନିଷ୍ପତ୍ତିକୁ ସାରସ୍ୱତ ମହଲ ବେଶ ପ୍ରଶଂସା କରିଛି ।

Show More

Related Articles

Back to top button