
ରାଜସ୍ଥାନ: ଦିନକୁ ଦିନ ହଜିଯାଉଛି ମାନବିକତା । ମଣିଷ ଭୁଲିଯାଉଛି ମଣିଷପଣିଆ । ସାମାନ୍ୟ ଲେମ୍ବୁ ପାଇଁ ଗ୍ରାହକଙ୍କୁ ଗୁଳି କଲା ଦୋକାନୀ । ରାଜସ୍ଥାନର ଭରତପୁରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନର ଭରତପୁର ଡିଗ ଥାନା ଅଞ୍ଚଳରେ ୫ଟଙ୍କାର ଲେମ୍ବୁ କିଣିବାକୁ ନେଇ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା । ପରେ ଏହି ଝଗଡା ଏପରି ଭୟଙ୍କର ରୂପ ନେଇଥିଲା ଯେ ଦୋକାନୀ ଉତକ୍ଷିପ୍ତ ହୋଇ ଗ୍ରାହକଙ୍କୁ ଗୁଳିମାଡ କରିଥିଲେ । ଗ୍ରାହକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ଆରବିଏମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ପୋଲିସର କହିବା ମୁତାବକ , ମହେନ୍ଦ୍ର ବଚ୍ଚୁର ଦୋକାନକୁ ଦିନେଶ ଯାଦବ ଲେମ୍ବୁ କିଣିବା ପାଇଁ ଯାଇଥିଲେ। ୧୦୦ଟଙ୍କା ଦେଇ ୫ଟି ଲେମ୍ବୁ କିଣିବା ପରେ ଖୁଚୁରା ପଇସାକୁ ନେଇ ଦିନେଶ ଏବଂ ମହେନ୍ଦ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହାପରେ ଦୋକାନୀ ମହେନ୍ଦ୍ର ନିଜର କିଛି ସାଥୀମାନଙ୍କ ସହ ରାତି ୮.୩୦ ସମୟରେ ଦିନେଶ ଘରେ ପହଞ୍ଚି ଗୁଳିଚାଳନା କରିଥିଲେ। ଗୁଳିଟି ଦିନେଶର କାନକୁ ଛୁଇଁ ବାହାରି ଯାଇଥିଲା । ତେବେ ପୋଲିସର ତଦନ୍ତ ପରେ ଏହାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ଏବଂ ଅଭିୟୁକ୍ତକୁ ଗିରଫ କରାଯିବ ।