ଓଡ଼ିଶାପାଣିପାଗ

ପୁରୀରେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ରାଜସ୍ବ ମନ୍ତ୍ରୀ

ପୁରୀ: ପୁରୀରେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ରାଜସ୍ବ ମନ୍ତ୍ରୀ । ସ୍ଥିତି ଅନୁଧ୍ୟାନ କରିବା ପରେ ସର୍କିଟ ହାଉସରେ ସ୍ଥିତିର ସମୀକ୍ଷା କରିଥିଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସୂଚନା ଅନୁୂଯାୟୀ, ପୁରୀ ଜିଲ୍ଲାର ଅନେକ ନଦୀମାନଙ୍କରେ ବନ୍ୟା ଆସିବା ଫଳରେ ଅସ୍ତରଙ୍ଗ, ଗୋପ, ଡେଲାଙ୍ଗ, କଣାସ, ନିମାପଡ଼ା, ପିପିଲି, ପୁରୀ ସଦର ଆଦି ୭ଟି ବ୍ଲକ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ମୋଟ ୫୫ଟି ପଞ୍ଚାୟତର ୨୦୧ଟି ଗ୍ରାମ ବନ୍ୟା ପାଣିରେ ବୁଡ଼ି ରହିଛି । ମୋଟ ପ୍ରାୟ ୧,୪୩,୪୨୯ ଲୋକ ପ୍ରଭାବିତ ହେବା ସହ ଘର ଛାତ କିମ୍ବା ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଗାଁ ଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ ଏ ସବୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସାହାର୍ଯ୍ୟ ପାଇଁ  ରିଲିଫ କେନ୍ଦ୍ର ଖୋଲାଯାଇ ରିଲିଫ ବଣ୍ଟନ କରାଯାଉଛି । ୧୮୦ କୁଇଣ୍ଟାଲ ଚାଉଳ, ୬୭୫କେଜି ଚୁଡ଼ା, ୮୭ କେଜି ଚିନି ଓ ଗୁଡ, ୨୫ହଜାର ପାଣି ବୋତଲ ସହ ୮ହଜାର ପାଣି ପାଉଚ ଆଦି ରିଲିଫ ବଣ୍ଟନ କରାଯାଇଛି । ବନ୍ୟାଞ୍ଚଳରେ ୪୬ହଜାରରୁ ଉର୍ଦ୍ଧ୍ବ ପାଣି ବୋତଲ ବଣ୍ଟନ କରାଯାଇଥିବାବେଳେ ୧୨୨୦ ପଲିଥିନ ରିଲିଫ ବାବଦରେ ବଣ୍ଟନ କରାଯାଇଛି ।

ସେହିପରି ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି ହୋଇନାହିଁ । ବନ୍ୟା ଯୋଗୁଁ ପ୍ରାୟ ୩୭ହଜାର ଗୋସମ୍ପଦ ପ୍ରଭାବିତ ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ରହିଛନ୍ତି। ତେବେ ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ଘଟିଥିବା ଜଣାପଡିଛି । ସରକାରୀ ରିପୋର୍ଟ ଅନୁସାରେ ପ୍ରାୟ ୬,୫୭୭ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । କେଉଁ ଜମି କେତେ କ୍ଷତିଗ୍ରସ୍ତ ହୋଇଛି ତାହାର ସଠିକ୍ ଭାବେ ଆକଳନ କରାଯିବା ପରେ ସ୍ପଷ୍ଟ ହେବ ବୋଲି ବୈଠକରେ କୁହାଯାଇଥିଲା‌।

Show More

Related Articles

Back to top button