
ଜୟପୁର: ଥମୁନି ରାଜସ୍ଥାନ ରାଜନୀତିର ବିବାଦ। ଅଶୋକ ଗେହଲଟ୍ ଓ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ରହିଛି ଫାଇଟ୍। ଏହାରି ଭିତରେ ପୁଣିଥରେ ସଚିନ ପାଇଲଟ୍ଙ୍କ ବିଦ୍ରୋହକୁ ମନେପକାଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ତାଙ୍କ ସରକାରଙ୍କୁ ହଟାଇବା ପାଇଁ ଅମିତ ଶାହଙ୍କ ଘରେ ଏକ ବୈଠକ ବସିଥିଲା। ଏକଥା ସମସ୍ତେ ଜାଣନ୍ତି। କିଛି ବିଧାୟକ ମଧ୍ୟ ଏହି ବୈଠରେ ସାମିଲ ହୋଇଥିଲେ ବୋଲି ଗେହଲଟ କହିଛନ୍ତି। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଶୋକ ଗେହଲଟ୍ କହିଛନ୍ତି, କିଛି କଂଗ୍ରେସ ବିଧାୟକ ଭାବୁଛନ୍ତି ଯେ ଅନ୍ୟ କାହାକୁ ଗ୍ରହଣ କରିବା ଅପେକ୍ଷା ବିଦ୍ରୋହ କରିବା ଉଚିତ୍। ତେଣୁ ଅମିତ ଶାହ, ଜାଫର ଇସ୍ଲାମଙ୍କୁ ଭେଟିଛନ୍ତି କିଛି ବିଧାୟକ। ଅନ୍ୟ ରାଜ୍ୟ ଭଳି ବିଜେପି ରାଜସ୍ଥାନରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି କହି ଗେହେଲୋଟ୍ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଇତିହାସରେ ଏହା ପ୍ରଥମ ଘଟଣା ଯେ ୱାନ ଲାଇନ ପ୍ରସ୍ତାବ ପାରିତ ହେଲା ନାହିଁ। ମୁଁ ଏବେ ବି ଦୁଃଖିତ ଯେ ଏହା ପାସ୍ ହୋଇପାରିନଥିଲା। ଏଥିପାଇଁ ମୁଁ କ୍ଷମା ମଧ୍ୟ ମାଗିଛି ବୋଲି ଗେହଲଟ୍ କହିଛନ୍ତି। ସଚିନ ପାଇଲଟ୍ଙ୍କ ନାଁ ନନେଇ ଗେହଲଟ କହିଛନ୍ତି, ଅମିତ ଶାହ ଆମ ବିଧାୟକମାନଙ୍କୁ ମିଠା ଖୁଆଉଥିଲେ। ଟିକେ ଅପେକ୍ଷା କରିବାକୁ କହୁଥିଲେ। ଶେଷରେ ସତ୍ୟର ବିଜୟ ହେଲା। ଆମ ସରକାର ବଞ୍ଚିଗଲା। ସରକାରଙ୍କୁ ବଞ୍ଚାଇଥିବା ବିଧାୟକମାନଙ୍କୁ ଆମେ କିପରି ଭୁଲି ପାରିବା? ମୁଁ କିପରି ୧୦୨ ବିଧାୟକଙ୍କୁ ଭୁଲି ପାରିବି? ମୁଁ ରୁହେ ବା ନ ରୁହେ, ଏକ ଭିନ୍ନ ବିଷୟ। ମୁଁ ବିଧାୟକଙ୍କ ଅଭିଭାବକ।ଗେହଲଟ କେବଳ ସଚିନ ପାଇଲଟ୍ ନୁହେଁ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ‘ବିଜେପିର ଦେଶରେ ଘୋଡା କାରବାରର ଖେଳ ଖେଳୁଛି। ବିଜେପି ଲୋକ ଗଣତନ୍ତ୍ରର ହତ୍ୟାକାରୀ। ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ସରକାରରେ ପରିବର୍ତ୍ତନ କରିଦେଲେ।ମହାରାଷ୍ଟ୍ରରେ ମଧ୍ୟ ସରକାର ବଦଳାଇଦେଲେ। ହେଲେ ରାଜସ୍ଥାନରେ ତାଙ୍କ ଫଣ୍ଡା କାମ ଦେଲାନି, କାରଣ ଆମ ସହ ଲୋକଙ୍କ ସାଥ ଥିଲା।