Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା କଟକଣା ମଧ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା

ଦିନକ ପରେ ପ୍ରସିଦ୍ଧ ମା' ବୁଢ଼ି ଠାକୁରାଣୀ ଯାତ୍ରା । ୯ ତାରିଖ ଶୁକ୍ରବାର ମଧ୍ୟରାତ୍ରିରେ ଠାକୁରାଣୀଙ୍କୁ ଆମନ୍ତ୍ରଣ କରିବେ ଆୟୋଜକ ତଥା ଠାକୁରାଣୀଙ୍କ ବାପା ଦୁର୍ଗାପ୍ରସାଦ ଦେଶୀବେହେରା ଓ ମାଆ ଦେବକୀ ।

ଦିନକ ପରେ ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରା । ୯ ତାରିଖ ଶୁକ୍ରବାର ମଧ୍ୟରାତ୍ରିରେ ଠାକୁରାଣୀଙ୍କୁ ଆମନ୍ତ୍ରଣ କରିବେ ଆୟୋଜକ ତଥା ଠାକୁରାଣୀଙ୍କ ବାପା ଦୁର୍ଗାପ୍ରସାଦ ଦେଶୀବେହେରା ଓ ମାଆ ଦେବକୀ । ବ୍ରହ୍ମପୁରର ଏହା ଏକ ବଡ଼ ପରମ୍ପରା ଯେଉଁଥିରେ ହଜାର ହଜାର ସହରବାସୀ ସାମିଲ ହୋଇଥାନ୍ତି । ବର୍ତ୍ତମାନ କରୋନା ଦ୍ୱିତୀୟ ଲହରୀ ଆସିଯାଇ ଥିବାରୁ ଠାକୁରାଣୀଙ୍କ ଆଗମନ ସମୟରେ ୧୪୪ ଧାରା ଲାଗୁ କରିବାକୁ ଯୋଜନା କରାଯାଉଛି । ପୂର୍ବରୁ ଶୁଭଖୁଣ୍ଟି ପ୍ରତିଷ୍ଠା ଦିନ କୌଣସି ଗାଇଡ୍‌ଲାଇନ୍‌ ମାନିନଥିଲେ ଶ୍ରଦ୍ଧାଳୁ । ଠାକୁରାଣୀଙ୍କ ଆଗମନ ସମୟରେ ପୁଲିସ କର୍ଡନ୍‌ କରି ଠାକୁରାଣୀଙ୍କୁ ଆଣିବ। କିନ୍ତୁ ଗହଳିକୁ ନିୟନ୍ତ୍ରଣ କରିବା ଦୃଷ୍ଟିରୁ ରଖି ଠାକୁରାଣୀଙ୍କ ଆଗମନ ସମୟରେ ୧୪୪ ଧାରା ଲାଗୁ କରିବାକୁ ଆବେଦନ କରାଯିବ ବୋଲି କହିଛନ୍ତି ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି । ଗୋସାଇଁନୂଆଗାଁ କାଳୁଆ ଯାତ୍ରା ଭଳି ମା’ ବୁଢ଼ି ଠାକୁରାଣୀ ଯାତ୍ରା କରିବାକୁ ଯୋଜନା ରହିଥିବା ସେ ସୂଚାଇଛନ୍ତି ।

ଶାନ୍ତିପୂର୍ଣ୍ଣ ଯାତ୍ରା ପରିଚାଳନା କରିବାକୁ ବୁଧବାର ଅପରାହ୍ନରେ ବିଏମ୍‌ସି ସମ୍ମିଳନୀ କକ୍ଷରେ ପୁଲିସ- ବିଏମ୍‌ସି- ଯାତ୍ରା ଆୟୋଜକଙ୍କ ସମନ୍ୱୟ ବୈଠକ ହୋଇଥିଲା । ବିଏମ୍‌ସି କମିଶନର ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟୀ କମିଶନର୍‌ ରୋମାଞ୍ଚଳ ଖମାରୀ, ଏସ୍‌ଡିପିଓ, ବଡ଼ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତି, ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ଯାତ୍ରା ଆୟୋଜକଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଯାତ୍ରାରେ ପୂଜା ମନା କରାଯିବା ସହ ପରିଚାଳନା ପାଇଁ ସମସ୍ତ ବିଭାଗର ସହଯୋଗ ଲୋଡ଼ାଯାଇଥିଲା । ଜଳଯୋଗାଣ ବ୍ୟବସ୍ଥା ସହ ସ୍ଥାନୀୟ ଅଞ୍ଚଳରେ ଅଗ୍ନିଶମ ଓ ସ୍ୱାସ୍ଥ୍ୟ କର୍ମଚାରୀ ନିୟୋଜିତ ରହିବାକୁ କମିଶନର୍‌ କହିଥିଲେ । ପ୍ରବେଶ ଓ ପ୍ରସ୍ଥାନ ଦୁଇ ଦ୍ୱାର ରହିବ । କମ୍‌ ସଂଖ୍ୟକ ଭକ୍ତ ଦର୍ଶନ କରିବେ। ପୂଜା, ଦୀପ, ଧୂପ ଓ ପ୍ରସାଦ ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ମନା । କଟକଣା ଉଲ୍ଲଂଘନ କ୍ଷେତ୍ରରେ ଯାତ୍ରାରେ ଦର୍ଶନ ମଧ୍ୟ ବନ୍ଦ କରିବାକୁ ଯୋଜନା କରାଯାଉଛି ବୋଲି କମିଶନର୍‌ କହିଛନ୍ତି ।

ଅପରପକ୍ଷରେ ଠାକୁରାଣୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ଦେଶୀବେହେରା ସାହି । ଶ୍ରଦ୍ଧାଳୁ ଠାକୁରାଣୀଙ୍କ ଆଗମନକୁ ଚାହିଁ ରହିଛନ୍ତି । କେତେବେଳେ ମା’ ଆସିବେ ଆଉ ଆଶୀଷ ଦେବେ, ସମସ୍ତେ ଚାହିଁ ରହିଛନ୍ତି । ଦେଶୀବେହେରା ସାହିରେ କମିଟି ପକ୍ଷରୁ ଛାମୁଟିଆ କରାଯାଇଛି । କଳାକୁଞ୍ଜ ଓ ରଥ କରିବାକୁ ମନା । ଆଲୋକମାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ୍‌ ଲଗାଇଛି ବିିଏମ୍‌ସି । କିନ୍ତୁ ଠାକୁରାଣୀଙ୍କ ଅସ୍ଥାୟୀ ପୀଠ ଦେଶୀବେହେରା ସାହିରେ ଥିବାରୁ ସେଠାରେ ଭକ୍ତଙ୍କ ଯାତାୟତ ରହିବ । ଏହାକୁ ଦୃଷ୍ଟିରେ ରଖି ଦେଶୀବେହେରା ସାହିରେ ଆଲୁଅ ବ୍ୟବସ୍ଥା ସାହିବାସିନ୍ଦାଙ୍କ ତରଫରୁ କରିବାକୁ ବିଏମ୍‌ସି କମିଶନରଙ୍କୁ ଅନୁରୋଧ କରାଯାଇଥିଲା । ଟୁଟୁ ଗୌଡ଼, ଟି.ଗୋପୀ, ଭି.ସନ୍ତୋଷ କୁମାରଙ୍କ ସମେତ ବହୁ ଅଞ୍ଚଳବାସୀ ବିଏମ୍‌ସି କମିଶନରଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଦେଶୀବେହେରା ସାହିରେ ଆଲୁଅ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।

Show More

Related Articles

Back to top button