
କଳାହାଣ୍ଡିରେ ଦୁଇ ଘଣ୍ଟା ଲଗାଣ ବର୍ଷାଯୋଗୁଁ ବଡ ବଡ ଗଛ ଉପୁଡିବା ସହିତ ଭାଙ୍ଗିଲା ଘର ।ମିଳିଥିବା ସୂଚନା ଅନୁଯାୟୀ , ଆଜି ଓଡିଶା ଛୁଇଁଛି ମୌସୁମୀ । ଏହାର ପ୍ରଭାବ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଦୁଇ ଘଣ୍ଟା ଧରି ବର୍ଷା ପ୍ରବଳ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ପ୍ରବଳ ବର୍ଷା ଯୋଗୁଁ ଭବାନୀପାଟଣା ସହରର ୯ ନମ୍ବର ୱାର୍ଡରେ ରାସ୍ତା ଉପରେ ଦୁଇଫୁଟ ପାଣି ପ୍ରବାହିତ ହେବା ସହ ଡ୍ରେନେଜ ପାଣି ଲୋକଙ୍କ ଘରେ ପଶିଯାଇଛି ।
ସେପଟେ ଜିଲ୍ଲାର ମଦନପୁର ରାମପୁରରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ମଦନପୁର ରାମପୁର ଅନ୍ତର୍ଗତ ଡୁଡୁକାରଞ୍ଜା ଗାଁର ଅନେକ ଲୋକଙ୍କ ଘର ଛାତ ଉଡିଯିବା ସହ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ସେପଟେ ମଦନପୁର ରାମପୁରରୁ ଡୁଡୁକାରଞ୍ଜା ଗାଁକୁ ସଂଯୋଗ କରିଥିବା ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଅନେକ ଗଛ ଉପୁଡି ପଡିବା ସହ ଅନେକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି । ଫଳରେ, ଏହି ଗାଁକୁ ବିଦ୍ୟୁତ ସଂଯୋଗ ବନ୍ଦ ରହିଥିବା ବେଳେ ଗାଁରେ ଓଡ୍ରାଫ ଟିମ ପହଞ୍ଚି ଗଛକଟା କାର୍ଯ୍ୟ ଜାରି ରଖିଥିବା ବେଳେ ଗାଁରେ ବ୍ଲକ ପ୍ରଶାସନ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସରକାରୀ ସହାୟତା ଯୋଗାଇ ଦିଆଇବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।