Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଆଦିବାସୀ ବର୍ଗର ଶିଶୁଙ୍କ ମୃତ୍ୟୁହାର ବୃଦ୍ଧି, ଏହାର କାରଣ ଖୋଜିବେ ସରକାର

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ବି ଆଦିବାସୀ ବର୍ଗର ଶିଶୁଙ୍କ ମୃତ୍ୟୁହାର କାହିଁକି ବୃଦ୍ଧି ପାଇଛି, ତା’ର କାରଣ ଖୋଜିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଆଇଏଏସ୍ ପିକେ ପ୍ରଧାନଙ୍କୁ ଗତକାଲି ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ଆଦିବାସୀବହୁଳ ୪-୫ଟି ଜିଲ୍ଲା ଗସ୍ତ କରି ସେଠାରେ ଆଦିବାସୀ ପିଲାମାନଙ୍କ ମଧ୍ୟରେ କେଉଁ କାରଣରୁ ମୃତ୍ୟୁହାର ବୃଦ୍ଧି ପାଉଛି ଓ ତା’ର ନିରାକରଣ କିଭଳି ହେବ ସେ ନେଇ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ ବୋଲି ସୂଚନାମିଳିଛି । ମିଳିଥିବା ସୂଚନା ଅନୁସାରେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଫଏଚଏସ-୫) ତଥ୍ୟ ଆଧାରରେ ଓଡ଼ିଶାରେ ଆଦିବାସୀ ବର୍ଗର ଶିଶୁଙ୍କ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ୫ବର୍ଷରୁ କମ୍ ବୟସର ଆଦିବାସୀ ବର୍ଗର ଶିଶୁଙ୍କ ମୃତ୍ୟୁହାର ୨୦୧୫-୧୬ରେ ପ୍ରତି ୧ହଜାରରେ ୬୫.୬% ଥିବାବେଳେ ୨୦୨୧ରେ ଏହି ପରିମାଣ ୬୬.୨%କୁ ବୃଦ୍ଧି ପାଇଛି । ଯଦିଓ ଜାତୀୟସ୍ତରରେ ଆଦିବାସୀ ବର୍ଗର ପିଲାଙ୍କ ମୃତ୍ୟୁ ହାର ୪୧.୬%କୁ ହ୍ରାସ ପାଇଛି । ତେବେ କେଉଁ କାରଣରୁ ରାଜ୍ୟରେ ଆଦିବାସୀ ବର୍ଗର ନବଜାତ ଓ ଶିଶୁଙ୍କ ମୃତ୍ୟୁହାର ବୃଦ୍ଧି ପାଉଛି ଓ କାର୍ଯ୍ୟକାରୀ ହେଉଥିବା ଯୋଜନାରେ କ’ଣ ସବୁ ତ୍ରୁଟି ରହିଛି ତାହାର ଆକଳନ କରିବା ସହ ଏହି ଶିଶୁ ମୃତ୍ୟୁହାର ହ୍ରାସ ନିମନ୍ତେ ଆବଶ୍ୟକ ପରାମର୍ଶ ସରକାରଙ୍କୁ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଉପଦେଷ୍ଟା ଶ୍ରୀ ପ୍ରଧାନଙ୍କୁ କୁହାଯାଇଛି । ଏହି ସର୍ଭେ ଓ ଆକଳନ ନିମନ୍ତେ ସମସ୍ତ ପ୍ରକାରର ସହଯୋଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଯୋଗାଇ ଦେବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ଗତକାଲି ଏନେଇ ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

 

Show More

Related Articles

Back to top button