ଓଡ଼ିଶାମୁଖ୍ୟ ଖବର

ନଦୀ ସୁରକ୍ଷା ସମିତି ଗଠନ

୪ ପ୍ରସ୍ତାବ ପାରିତ

ଓଡ଼ିଶାର ନଦୀ ଗୁଡ଼ିକ ପାଇଁ ଗଠିତ ହେଲା ଓଡ଼ିଶା ନଦୀ ସୁରକ୍ଷା ସମିତି । ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଏନେଇ ୪ଟି ପ୍ରସ୍ତାବ ପାରିତ ହୋଇଛି । କଟକ ଫୁଲନଖରା ସ୍ଥିତ ଆମ୍ରପଲ୍ଲୀ ରିସୋର୍ଟ ଠାରେ ଓଡ଼ିଶାର ନଦୀ ଗୁଡ଼ିକର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ପ୍ରାଚୀ ପ୍ରଜ୍ଞା ପରିଷଦର ମିଳିତ ପ୍ରାୟାସରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଇଣ୍ଡିଆନ ପେନିନସୁଲlର ରିଭର ବେଶିନ କାଉନସିଲ୍ ର ଓଡ଼ିଶା ଶାଖା ଗଠିତ ହୋଇ ଯାଇଛି l ଏହାର ନାମ ଓଡ଼ିଶା ନଦୀ ସୁରକ୍ଷା ସମିତି ରହିବ ବୋଲି ନିଷ୍ପତି ହୋଇଛି l ଓଡ଼ିଶାର ୧୧ଟି ମୁଖ୍ୟ ନଦୀ ସହିତ ଅନେକ ଶାଖା ଓ ପ୍ରଶାଖା ନଦୀ ଗୁଡ଼ିକର ସୁରକ୍ଷା ପାଇଁ କାମ କରୁଥିବା ସାମାଜିକ କର୍ମୀ ମାନଙ୍କୁ ନେଇ ଏକ ୨୨ ଜଣିଆ କମିଟି ଗଠନ ହେବା ସହ ସମ୍ମିଳନୀରେ ୪ ଟି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି l ଭାରତ ସରକାରଙ୍କ ଜଳ ଶକ୍ତି ମିଶନର ନିର୍ଦ୍ଦେଶ ମୁତାବକ ରାଜ୍ୟର ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ଗୁଡିକରେ ଜଳ ସ୍ବାକ୍ଷରତା କାର୍ଯ୍ୟକ୍ରମ ତୁରନ୍ତ ଚାଲୁ କରିବାକୁ ସରକାରଙ୍କୁ ନିବେଦନ କରି ଏକ ପ୍ରସ୍ତାବ ପାରିତ କରାଯାଇଛି l ତୁରନ୍ତ ଜିଲ୍ଲାପାଳ ମାନେ ଜଳ ସ୍ୱାକ୍ଷରତା ମିଶନ ଆରମ୍ଭ କରିବାକୁ ନିବେଦନ କରାଯାଇଛି l ନଦୀ ଗୁଡ଼ିକୁ ବଞ୍ଚାଇ ରଖିବାକୁ ହେଲେ ବର୍ଷା ଜଳକୁ ସଂରକ୍ଷଣ କରିବାକୁ ପଡ଼ିବ l ତେଣୁ ସରକାର ଏବଂ ସାଧାରଣ ଲୋକେ ଏଦିଗରେ ନିରନ୍ତର କାର୍ଯ୍ୟ କରିବା ପାଇଁ ଆଜି ପ୍ରସ୍ତାବ ପାରିତ ହୋଇଛି l ଏଥି ପାଇଁ ରଜ୍ୟ ସ୍ତରରେ ଜଳ ଯୋଦ୍ଧା, ଜିଲ୍ଲା ସ୍ତରରେ ଜଳ ନାୟକ, ବ୍ଲକ ଓ ମୁନିସିପାଲଟି ପାଇଁ ଜଳ ସେବକ, ପଞ୍ଚାୟତ ସ୍ତରରେ ଜଳ ଦୂତ ଓ ଗାଁ ସ୍ତରରେ ଜଳ ସୈନିକ ସୃଷ୍ଟି କରିବା ପାଇଁ ମଧ୍ୟ ଆଜି ନିଷ୍ପତି ହୋଇଛି l ଏହା ସହ ବୈତରଣୀ ବା ଅନ୍ୟ କୌଣସି ନଦୀର ପାଣିକୁ ମାଲ୍ ପରିବହନ ପାଇଁ ବ୍ୟବହାର ନକରିବା, ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ଡିପିଆରକୁ ସରକାର ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରିବା ପ୍ରସ୍ତାବ ମଧ୍ୟ ପାରିତ ହୋଇଛି l ଏହି ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ସଭାପତିତ୍ବ କରିଥିଲାବେଳେ ତେଲେଙ୍ଗାନା ଜଳ ଆୟୋଗର ଅଧ୍ୟକ୍ଷ ଭି ପ୍ରକାଶ ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ, ଉତ୍କଳ ବିଶ୍ୱିଦ୍ୟାଳୟର ପୂର୍ବତନ କୁଳପତି ଡ଼ ବିନାୟକ ରଥ, ପ୍ରାଚୀପ୍ରଜ୍ଞା ପରିଷଦର ଅଧକ୍ଷ ଅଶ୍ଵିନୀ ମହାପାତ୍ର, ବାବା ହଂସନାଥ ସାହୁ, ସନ୍ୟାସୀ ପଣ୍ଡା, ନିରଦ ବରଣ ଖୁଣ୍ଟିଆ, ସଚ୍ଚି ପ୍ରଧାନ, ଅଶୋକ ଥକର, କେଦାର ଚୌଧୁରୀ, ଅକ୍ଷୟ ଜେନା, ରଘୁନାଥ ମଣ୍ଡଳ, ପ୍ରଭାସିନୀ ରାଉତ, ପ୍ରସନ୍ନ ବିଶୋଇ, ରବି ସାହୁ, କବି ନାରାୟଣ ଜେନା, ସନ୍ତୋଷ ସ୍ୱାଇଁ, ଯୁଧିଷ୍ଟିର ଖଟୁଆ ପ୍ରମୁଖ ସମ୍ମିଳନୀରେ ତାଙ୍କର ବକ୍ତବ୍ୟ ରଖିଥିଲେ l ଗଠିତ ହୋଇଥିବା ଓଡିଶା ନଦୀ ସୁରକ୍ଷା ସମିତିର ଆବାହକ ଭାବରେ ଶ୍ରୀ ଅଶ୍ଵିନୀ ମହାପାତ୍ର କାର୍ଯ୍ୟ କରିବେ l ଆସନ୍ତା ଡ଼ିସେମ୍ବର ମାସରେ ଓଡିଶା ନଦୀ ସମ୍ମିଳନୀ ଆୟୋଜନ କରିବା ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିବ l

Show More

Related Articles

Back to top button