
ପାଟଣା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିହାର ଗସ୍ତକୁ ନେଇ ମୁହଁ ଖୋଲିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ କହିଛନ୍ତି ଅମିତ ଶାହଙ୍କ ଭାଷଣ କମେଡି ଶୋ ଭଳି ଲାଗୁଥିଲା। ସେ କାହାକୁ ଭୟଭୀତ କରିବାକୁ ଏଠାକୁ ଆସିଛନ୍ତି? ତେଜସ୍ୱୀ କହିଛନ୍ତି ଗୃହମନ୍ତ୍ରୀ ଭାଷଣ ସମୟରେ ଯେଉଁ ଭାଷା, ଶୈଳୀ ବ୍ୟବହାର କରୁଥିଲେ ଲାଗୁଥିଲା ଭାଷଣ ନୁହେଁ କମେଡ଼ି ଶୋ ଦେଖୁଛି। ସେ ମହଙ୍ଗା, ବେରୋଜଗାରୀ ଉପରେ କିଛି କହିନଥିଲେ। ମିଛ କହି ମାହୋଲ ଗଡ଼ବଡ଼ କରିବାକୁ ଚେଷ୍ଟା କରିବେ ଓ କହିବେ ଜଙ୍ଗଲ ରାଜ ଚାଲିଛି। ସେ ଦେଶର ଗୃହମନ୍ତ୍ରୀ କିନ୍ତୁ ସେପରି ଦେଖାଯାଉଥିଲେ କି? ମୋ ପାଇଁ ସେ ଜଣେ ରାଜନୈତିକ ନେତା ଗୃହମନ୍ତ୍ରୀ ନୁହଁନ୍ତି। ସେ କିପରି ଦେଖାଯାଉଥିଲେ ମୁଁ କହିବାକୁ ଚାହେଁ ନାହିଁ ବୋଲି କହିଛନ୍ତି ତେଜସ୍ୱୀ। କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ କିଛି ନୂଆ କଥା କହିନାହାଁନ୍ତି। ଅମିତ ଶାହା କ’ଣ ପାଇଁ ଆସିଛନ୍ତି ଏବଂ ସେ କ’ଣ କହିବେ ତାହା ସମସ୍ତେ ଜାଣନ୍ତି। ଅମିତ ଶାହାଙ୍କ ବର୍ତ୍ତମାନ କିଛି କହିବାକୁ ବାକି ନାହିଁ। ଅନ୍ୟପଟେ ବିହାର ସରକାରଙ୍କ ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବିହାର ଗସ୍ତରେ ଆସି ରାଜ୍ୟରେ ବିଜେପି ସପକ୍ଷରେ ମାହୋଲ ସୃଷ୍ଟି କରିବାକୁ ଆସିଛନ୍ତି। ହେଲେ ଏଠାରେ ସେ ସଫଳତା ପାଇବାକୁ ଯାଉନାହାଁନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି। ବିଜେପିର ବିଭାଜନ ନୀତି ବିହାର ରାଜନୀତିରେ କାମ କରିବ ନାହିଁ। ବିହାର ଲୋକେ କେବେ ଏଭଳି ଲୋକଙ୍କୁ ଆଶ୍ରୟ ଦେଇନାହାଁନ୍ତି। ତାଙ୍କର ବିଭାଜନ ନୀତିର ଏକ ଅଂଶ ଭାବରେ ଅମିତ ଶାହ ରାଲି ପାଇଁ ସୀମାଞ୍ଚଳ କ୍ଷେତ୍ରକୁ ବାଛିଛନ୍ତି। ବିହାର ବିଜେପି ପକ୍ଷରୁ ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଜନ ଭବନ ରାଲିକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବର୍ଷିଛନ୍ତି।