ତାମିଲନାଡୁରେ ଶହେ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ତାମିଲନାଡୁର ଚେଙ୍ଗଲପଟ୍ଟୁ ଜିଲ୍ଲାରେ ମଙ୍ଗଳବାର ଏତେ ପରିମାଣର ବର୍ଷା ହୋଇଛି ଯେ ଗତ ଶହେ ବର୍ଷର ରେକର୍ଡ ଭାଙ୍ଗିଛି। ଏଠାରେ ଗୋଟିଏ ଦିନରେ ୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି
ଏହି ଜିଲ୍ଲାରେ କୌଣସି ବର୍ଷ ଜାନୁୟାରୀ ମାସରେ ଏତେ ପରିମାଣର ବର୍ଷା କେବେବି ହୋଇନି। ତେବେ ୧୫ ଜାନୁୟାରୀ ୧୯୧୫ରେ ଜିଲ୍ଲାରେ ବର୍ଷା ହୋଇଥିଲା। ହେଲେ ସେତେବେଳେ ମଧ୍ୟ ବର୍ଷାର ପରିମାଣ ଏତେ ନଥିଲା ବୋଲି ପାଣିପାଗ ବିଭାଗଙ୍କ ତଥ୍ୟରୁ ଜଣାପଡିଛି।ପାଣିପାଗ ବିଷାରଦ ପ୍ରଦୀପ ଜନ ତାଙ୍କ ବ୍ଲଗରରେ ମୌସୁମି ପବନ ଜାନୁୟାରୀ ମାସ ପର୍ଯ୍ୟନ୍ତ ସକ୍ରିୟା ରହିବା ବାସ୍ତବିକ ଅସାଧାରଣ ବୋଲି ଉଲ୍ଲେଖ କରିଛନ୍ତି। ତେବେ ପାଣିପାଗ ବିଭାଗଙ୍କ ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ପୂର୍ବାନୁମାନ କରାଯାଇଛି।
ସେପଟେ ଉତ୍ତର ଭାରତରେ ଏହି ସମୟରେ ବର୍ଷା ସାଙ୍ଗକୁ କୁହୁଡି ପଡୁଛି। ଗତ କିଛିଦିନ ହେଲା ଶୀତ ଓ ବର୍ଷା ଲୋକଙ୍କୁ ଗୁରୁତର ପ୍ରଭାବିତ କରିଛି।ଦିଲ୍ଲୀ ସମେତ ୟୁପି, ହରିୟାଣା, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗତ କିଛି ଦିନ ହେଲା ବର୍ଷା ହେଉଛି। ଫଳରେ ଶୀତଳ ପବନ ବହିବା ଯୋଗୁ ଥଣ୍ଡା ମଧ୍ୟ ବଢୁଛି। ସେପଟେ ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡର କେତେକ ସ୍ଥାନରେ ତୁଷାରପାତ ଜାରି ରହିଛି। ଏଥିରେ ଆଇଏମଡି ଦିଲ୍ଲୀ ଏନସିଆର ସମେତ ଆଖପାଖ ଅଞ୍ଚଳରେ ବର୍ଷା ପୂର୍ବାନୁମାନ କରିଛନ୍ତି।