ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ପାଇଁ ପକ୍ଷୀ ଆକଳନ ସରିଛି । ଚଳିତ ବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିବା ଜଣାପଡିଛି । ଗତବର୍ଷ ୧୦୫ ପ୍ରଜାତିର ୧ ଲକ୍ଷ ୧୮ ହଜାର ୩୨୬ଟି ପକ୍ଷୀ ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ୧୬ ପ୍ରଜାତିର ୧୭ ହଜାର ୭୬୬ଟି ପକ୍ଷୀ ଅଧିକ ରହିଛନ୍ତି । ତେବେ ଏହି ବୃଦ୍ଧି ବିଗତ ୧୩ ବର୍ଷରେ ସର୍ବାଧିକ ବୃଦ୍ଧି ବୋଲି ଜଣାପଡିଛି ।
ସୂଚନାଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଗଣନା ବୁଧବାର ସକାଳ ୫ଟା ୩୦ମିନିଟ୍ରୁ ଆରମ୍ଭ ହୋଇଥିଲା । ୫ଟି ରେଞ୍ଜ୍ରେ ୧୬ଟି ଟିମ୍ ଗଣତିରେ ନିୟୋଜିତ ହୋଇଥିଲେ । ପ୍ରତିଟି ଟିମ୍ରେ ୫ ଜଣ ଲେଖାଏଁ ସଦସ୍ୟ ରହିଥିଲେ । ପ୍ରତିଟି ଟିମ୍ରେ ବନ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ ଓ ଏନଜିଓ ମେମ୍ବରମାନେ ସାମିଲ ରହିଥିଲେ ।ଭିତରକନିକାର ରାଜନଗର, କନିକା, ଗହିରମଥା, କୁଜଙ୍ଗ ପ୍ରଭୃତି ରେଞ୍ଜ୍ରେ ଜଙ୍ଗଲ ଭିତରେ ଥିବା ଜଳାଶୟ ଓ ସମୁଦ୍ର ଭିତରେ ଥିବା ଟାପୁରେ ଗଣନା କରାଯାଇଥିଲା । ଏହି ସମୟରେ ଦେଶୀୟ ପକ୍ଷୀ କାପରଖାଇ, ଅଜଂନା, ରାଣୀବଗ , ପାଣିକୁଆ ,ଖଇରା ଓ ଗେଣ୍ଡାଳିଆ ଆଦି ୧୦ ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ବଂଶ ବିସ୍ତାର ପାଇଁ ଗୁଁଆ,ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି ।