ଟି-୨୦ ବିଶ୍ୱକପ: ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ-ଅଷ୍ଟ୍ରେଲିଆ
ଚଳିତ ଟି-ଟେଣ୍ଟି ବିଶ୍ୱକପରେ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ । ଆଜିର ଏହି ମ୍ୟାଚରେ ପାକିସ୍ତାନ ସହ ଖେଳିବ ଅଷ୍ଟ୍ରେଲିଆ । ଏହି ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରକେଟ ଷ୍ଚାଡିୟମରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।
୫ ଥର ଦିନିକିଆ ବିଶ୍ୱକପ ଟାଇଟଲ ହାତେଇଥିବା ଅଷ୍ଟ୍ରେଲିଆ ଏଯାଏ ଟି-ଟେଣ୍ଟି ବିଶ୍ୱକପ ଚାମ୍ପିୟନ ହୋଇପାରିନାହିଁ । ଆଜି ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ ଦଳ ।
ସେହିପରି ପାକିସ୍ତାନ ୨୦୧୦ ଟି-ଟେଣ୍ଟି ବିଶ୍ୱକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବ । ୨୦୦୯ରେ ପାକିସ୍ତାନ ଟି-ଟେଣ୍ଟି ବିଶ୍ୱକପ ଜିତିଥିଲା । ଏଥର ବାବର ଆଜମଙ୍କ ନେତୃତ୍ୱରେ ଦଳ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ସୁପର ୧୨ ଯାଏଁ ସବୁ ମ୍ୟାଚ ଜିତିଛି ପାକିସ୍ତାନ । ଏହା ସହିତ ଦଳର ମନୋବଳ ଦୃଢ ରହିଛି । ଅଷ୍ଟ୍ରେଲିଆକୁ ହରାଇବାକୁ ପାକିସ୍ତାନ ପାଖରେ ଯଥେଷ୍ଟ କ୍ଷମତା ଅଛି । ଦଳର ପ୍ରତି ଖେଳାଳି ଫୁଲ ଫର୍ମରେ ଅଛନ୍ତି । ବ୍ୟାଟିଂଠୁ ନେଇ ବୋଲିଂ ସବୁ ସନ୍ତୁଳିତ ରହିଛି । ବିଶେଷ କରି ଦୁଇ ଓପନର ବାବର, ମହମ୍ମଦ ରିଜୱାନ ଓ ପେସ ବୋଲର ସହିନ ଶାହ ଆଫ୍ରିଦି ଓ ମଧ୍ୟଭାର ବ୍ୟାଟ୍ସମ୍ୟାନ ଅସିଫ ଅଲି ଦଳ ପାଇଁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଦୁଇ ଓପନରଙ୍କ ଉପରେ ଅଷ୍ଟ୍ରେଲିଆ ବୋଲର ଚାପ ପକାଇବାକୁ ଚେଷ୍ଟା କରିବ । ପୂର୍ବ ରେକର୍ଡକୁ ଦେଖିଲେ ଆଷ୍ଟ୍ରେଲିଆ ପଲ୍ଲା ଭାରି ରହିବ । ବିଶ୍ୱକପରେ ପାକିସ୍ତାନ ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ହରାଇ ପାରିନାହିଁ । ୧୦୮୭ ଦିନିକିଆ ବିଶ୍ୱକପ ସେମିଫାଇନାଲ, ୧୯୯୯ ବିଶ୍ୱକପ ଫାଇନାଲ, ୨୦୧୦ ଟି-ଟେଣ୍ଟି ବିଶ୍ୱକପ ସେମି ଫାଇନାଲ ଓ ୨୦୧୫ ଦିନିକିଆ ବିଶ୍ୱକପ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି ପାକିସ୍ତାନ । ଏଥର ଅଷ୍ଟେଲିଆ ଏକ ଅଭିଜ୍ଞ ଓ ସନ୍ତୁଳିତ ଦଳ ନେଇ ପଡିଆକୁ ଓହ୍ଲାଇବ । ବ୍ୟାଟିଂ ଅପେକ୍ଷା ଦଳର ବୋଲିଂ ବିଭାଗ ସୁଦୃଢ ରହିଛି । ଆଜିର ଏହି ସେମିଫାଇନାଲରେ ଦମଦାର ଲଢେଇ ଦେଖିବାକୁ ମିଳିବ ।
ଆଜିର ବିଜୟୀ ଟିମ ରବିବାର ନ୍ୟୁଜିଲାଣ୍ଡ ସହିତ ଫାଇନାଲ ମ୍ୟାଚ ଖେଳିବ ।