ଖେଳଦେଶ ବିଦେଶମୁଖ୍ୟ ଖବର

ଟି-୨୦ ବିଶ୍ୱକପ: ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ, ବାଧକ ସାଜିବ କି ବର୍ଷା?

ଆଡିଲେଡ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ହାରି ଯାଇଥିବା ଭାରତ ଆସନ୍ତାକାଲି ପୁଣି ୱିନିଂ ଟ୍ରାକକୁ ଫେରିବାକୁ ଉଦ୍ୟମ କରିବ। ସେମିଫାଇନାଲ ଦୃଷ୍ଟିରୁ ଭାରତ ପାଇଁ କାଲିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଭାରତ ଏଯାଏ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି। ବାଂଲାଦେଶ ମଧ୍ୟ ୩ଟି ମ୍ୟାଚ୍‌ ଖେଳି ୨ଟିରେ ଜିତିଛି ଓ ଦକ୍ଷିଣ ଆଫ୍ରିକା ଠାରୁ ଗୋଟିଏ ମ୍ୟାଚ୍‌ରେ ହାରିଛି। ପଏଣ୍ଟ ଟେବୁଲରେ ଭାରତ ୨ନଂ ସ୍ଥାନରେ ରହିଛି। କାରଣ ବାଂଲାଦେଶ ତୁଳନାରେ ଟିମ ଇଣ୍ଡିଆର ରନ ରେଟ ଭଲ ରହିଛି। ଏବେ ଭାରତକୁ ସେମି ଫାଇନାଲ ଯିବାକୁ ହେଲେ ଶେଷ ଦୁଇ ମ୍ୟାଚ୍‌କୁ ଜିତିବାକୁ ପଡ଼ିବ। ଏପରି ସ୍ଥିତିରେ ଆସନ୍ତାକାଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବର୍ଷା କଣ୍ଟା ସାଜିବାର ଆଶଙ୍କା ପ୍ରକାଶ ପାଇଛି।ଆଡିଲେଡରେ ବର୍ଷା ଆଜି ଜାରି ରହିଛି। ଆସନ୍ତାକାଲି ମ୍ୟାଚ୍‌ ବେଳେ ବର୍ଷାର ଆଶାଙ୍କା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତାକାଲି ଭାରତ-ବାଂଲାଦେଶ ମ୍ୟାଚ୍‌ ଉପରେ ବର୍ଷାର ପ୍ରଭାବ ରହିପାରେ। ଆସନ୍ତାକାଲି ସନ୍ଧ୍ୟାରେ ଆକାଶ ମେଘାଚ୍ଛନ୍ନ ରହିବ। ବର୍ଷାର ପରିମାଣ ୬୦% ରହିଛି। ସେହିପରି ପବନର ବେଗ ଘଣ୍ଟା ପ୍ରତି ୨୦ରୁ ୩୦ କିମି ରହିପାରେ। ଆଡିଲେଡ ଓଭାଲରେ ଆସନ୍ତାକାଲି ମ୍ୟାଚ୍‌ ବେଳେ ତାପମାତ୍ରା ୧୦ରୁ ୧୭ ଡିଗ୍ରୀ ମଧ୍ୟରେ ରହିବ। ଏହାବାଦ ୨ ମିମି ଯାଏ ବର୍ଷା ହୋଇପାରେ ବୋଲି ମେଟ୍ରୋଲୋଜି ବିଭାଗ ଆକଳନ କରିଛି। ଆଜି ଆଡିଲେଡରେ ବର୍ଷା ହେବା ପୂର୍ବରୁ ଭାରତର ଅଭ୍ୟାସ ସେସନ୍ସ ଧାର୍ଯ୍ୟ ସମୟ ପୂର୍ବରୁ କରାଯାଇଥିଲା। ବିଶେଷ କରି ସନ୍ଧ୍ୟାରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ବି ସନ୍ଧ୍ୟାରେ ଅର୍ଥାତ ମ୍ୟାଚ୍‌ ବେଳେ ବର୍ଷା ହୋଇପାରେ। ଯଦି ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇଯାଏ, ତା’ହେଲେ ଦକ୍ଷିଣ ଆଫ୍ରିକା ପୂର୍ବ ଭଳି ପଏଣ୍ଟ ଟେବୁଲର ଶୀର୍ଷରେ ରହିବ। ଭାରତ ଓ ବାଂଲାଦେଶ ସମାନ ୫ ପଏଣ୍ଟ ଲେଖାଏଁ ପାଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବେ। ଜିମ୍ବାୱେ ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଓ ପାକିସ୍ତାନ ୨ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ନେଦରଲ୍ୟାଣ୍ଡ୍ସ ଏଯାଏ କୌଣସି ପଏଣ୍ଟ ପାଇନି। ଯଦି ବର୍ଷା ହେବ, ତା’ହେଲେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ର ଗୁରୁତ୍ୱ ବଢ଼ିଯିବ। ପାକିସ୍ତାନ ଯଦି ଦକ୍ଷିଣ ଆଫ୍ରିକାକୁ ହରାଇ ଦେଉଛି, ତା’ହେଲେ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯିବ। ଶେଷ ମ୍ୟାଚ୍‌ରେ ଦଳ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍‌କୁ ଜିତି ପାରିଲେ ପାକିସ୍ତାନ ମଧ୍ୟ ସେମିଫାଇନାଲରେ ପ୍ରବେଶ ପାଇଁ ସୁଯୋଗ ପାଇବ। ତେଣୁ ୪ଟି ଦଳ ଏଯାଏ ସେମି ଫାଇନାଲ ଖେଳିବା ଦୌଡ଼ରେ ରହିଛନ୍ତି।

Show More

Related Articles

Back to top button