
ଆଜି ପାର୍ବଣକୁ ନେଇ ଗାଇଡଲାଇନ ସ୍ପଷ୍ଟ ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡଲାଇନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଏସବୁ ଗାଇଡଲାଇନ ସମ୍ପର୍କରେ ଘୋଷଣା କରି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଳନ କରାଯାଉଛି । ଲୋକମାନେ ମନ୍ଦିର ଭିତରେ ଭିଡ଼ ନ କରି ଓ କରୋନା କଟକଣାକୁ ମାନି ପାଳନ କରି ନିଜ ପରିବାର ଓ ଗାଁକୁ ସୁରକ୍ଷିତ ରଖିବାକୁ ସେ ନିବେଦନ କରିଛନ୍ତି । କରୋନା ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରର ଭୟ ଦେଖାଦେଲାଣି । ରାଜ୍ୟରେ ଏବେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ ଏହା ପରେ ବି ସତର୍କ ଜରୁରୀ । ଦେଶରେ ଏବେ ବି ଦୈନିକ ୩୦ରୁ ୪୦ ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି । ବିଶେଷକରି କେରଳରେ ସ୍ଥିତି ଚିନ୍ତାଜନକ ରହିଛି । କେରଳରେ ଓନାମ ପରେ ସଂକ୍ରମଣ ବଢିଯାଇଥିଲା । ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଗକୁ ୩ୟ ଲହର ଆସିବା ଆଶଙ୍କା କରାଯାଉଛି । ଏଣୁ ଗତ ଅଗଷ୍ଟ ୯ରେ ଜାରି ଗାଇଡଲାଇନ ଲାଗୁ ରହିବ ବୋଲି ସେ ଘୋଷଣା କରିଛନ୍ତି । ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ କେତେକ ପୂଜାକମିଟି ତରଫରୁ ଦାବି କରାଯାଇଥିଲେ ବି ମୂର୍ତ୍ତି ପୂର୍ବପରି ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ ବୋଲି ସେ କହିଛନ୍ତି । ସେହିପରି ଆବଦ୍ଧ ମଣ୍ଡପରେ ବିନା ଦର୍ଶକରେ ମୂର୍ତ୍ତି ପୂଜା କରାଯିବ । ପୂଜା ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ଜଣ ଉପସ୍ଥିତି ରହିବେ । ଏଥିରେ କର୍ତ୍ତା, ପୂଜକ ଓ ସହଯୋଗୀ ରହିବେ । ସମସ୍ତେ କୋଭିଡ କଟକଣା ମାନିବେ । ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ।