ଟି-୨୦ ବିଶ୍ୱକପ : ୪ ଉଇକେଟରେ ଦକ୍ଷିଣ ଆଫ୍ରିକା ବିଜୟୀ

ଟି-୨୦ ବିଶ୍ୱକପ ଗ୍ରୁପ-୧ର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ବ୍ୟାଟିଂ କରିବାକୁ ଆସି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୪୩ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଶ୍ରୀଲଙ୍କା ।
ଦକ୍ଷିଣ ଆଫ୍ରିକାର ଓପନର କ୍ୱିଣ୍ଟନ ଡି’କକ୍ ଏବଂ ରେଜା ହେଣ୍ଡ୍ରିକ୍ସ ବିଶେଷ କିଛି କରିପାରି ନ ଥିଲେ । ପ୍ରଥମ ଉଇକେଟ ଭାବେ ରେଜା ହେଣ୍ଡ୍ରିକ୍ସ ୧୧ ରନ୍ କରି ଦୁଷ୍ମନ୍ତ ଚାମିରାଙ୍କ ବଲ୍ରେ ଆଉଟ ହୋଇଥିଲେ । ସେହିପରି ଚାମିରାଙ୍କ ପରବର୍ତ୍ତୀ ବଲ୍ରେ କ୍ୱିଣ୍ଟନ ଡି’କକ୍ ୧୨ରନ୍ କରି ଆଉଟ୍ ହୋଇଥିଲେ । ୩ୟ ସ୍ଥାନରେ ଆସିଥିବା ରାସିଭାନ ଡର ଦୁସେନ ୧୬ ରନ କରି ଆଉଟ ହୋଇଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ସଙ୍କଟରେ ପଡିଯାଇଥିଲା। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ଭାବୁମା ୪୬ ରନ୍ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍ର ଆବଶ୍ୟକତା ରହିଥିଲା । ବିସ୍ଫୋରକ ଡେଭିଡ ମିଲର ୨ଟି ବଲ୍ରେ ୨ଟି ଛକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।