ଓଡ଼ିଶାମୁଖ୍ୟ ଖବର

ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ

ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ୍‌ର ଯବାନ ସୀତାରାମ ମୁର୍ମୁ । ତାଙ୍କ ଗାଁ ମୁକ୍ତାଝରିରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଶୁକ୍ରବାର ଦିନ କଟକ ମୁଣ୍ଡଳି ବ୍ରିଜ୍ ନିକଟରେ ବୋଟ୍ ବୁଡ଼ି ଯିବାରୁ ନିଖୋଜ ଥିଲେ ସୀତରାମ । ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ଗାଁ ମୟୂରଭଞ୍ଜର ମୁକ୍ତାଝରିକୁ ଅଣାଯାଇଥିଲା । ତେବେ ପ୍ରଶାସନ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ପରିବାର ଲୋକେ ଶବକୁ ଗ୍ରହଣ କରି ନଥିଲେ ।

ସୀତାରାମଙ୍କ ମୃତଦେହରେ ଜାତୀୟ ପତାକା ରଖାଯାଇ ନଥିବା ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଠିକ୍ ସମୟରେ ନପହଞ୍ଚି ତାଙ୍କୁ ଅସମ୍ମାନିତ କରିଥିବା ଭଳି ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ। ଏହା ସହିତ ତାଙ୍କୁ ସହିଦ ମାନ୍ୟତା ଦେବା ସହିତ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ଭରଣପୋଷଣ ପାଇଁ ଉଚିତ୍ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ଦେବାକୁ ଦାବି କରି ମୃତଦେହକୁ ଗ୍ରହଣ କରି ନଥିଲେ ।

ତେବେ ମୟୂରଭଞ୍ଜସ ଏସ୍‌ପି ହୁର୍ଷିକେଶ ଖୁଲାରୀ, କରଞ୍ଜିଆ ଉପଖଣ୍ଡ ପୁଲିସ୍ ଅଧିକାରୀଙ୍କ ସେମତ ଠାକୁରମୁଣ୍ଡା ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ସୀତାରାମଙ୍କ ପରିବାର ଲୋକଙ୍କୁ ବୁଝାଇ ଥିଲେ । ସୀତାରାମଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେବା ପରେ ସେମାନେ ମୃତଦେହକୁ ଗ୍ରହଣ କରିଥିଲେ ।

ଦିନ ପ୍ରାୟ ୧୨ଟା ୪୫ ମିନିଟ୍‌ରେ ସୀତାରାମଙ୍କ ପରିବାର ଲୋକେ ମୃତଦେହ ଗ୍ରହଣ କରିବା ପରେ ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ କର୍ମ କରିବା ପାଇଁ ଘରକୁ ନେଇ ଯାଇଥିଲେ । ଗ୍ରାମବାସୀ ତଥା ବନ୍ଧୁବାନ୍ଧବ ଶେଷ ଦର୍ଶନ କରିବା ପରେ ତାଙ୍କ ମୃତଦେହକୁ ଏକ ବିରାଟ ପଟୁଆରରେ ଗାଁ ମଶାଣିକୁ ନିଆଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ଆଲୋକ ମୁର୍ମୁ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ଏସ୍‌ପି ହୁର୍ଷିକେଶ ଖୁଲାରୀ କହିଛନ୍ତି, ସୀତାରାମ ଓଡ୍ରାଫର ଜଣେ ବାହାଦୂର ଯବାନ ଥିଲେ । ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଅତୁଳନୀୟ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ୫୦୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ଏବେ ତାଙ୍କ ପରିବାରର ସମସ୍ତ ପ୍ରକାରର ଯତ୍ନ ନେବା ପାଇଁ ପଦକ୍ଷେପ ନିଆଯାଉଛି । ସେଇଟା ଆମର ଦାୟିତ୍ୱ ।

 

Show More

Related Articles

Back to top button