Breaking PLUSଓଡ଼ିଶାମୁଖ୍ୟ ଖବର

ମକର ଚାଉଳ ମହକରେ ମହକିଲା ଶ୍ରୀମନ୍ଦିର : ଶ୍ରୀଜୀଉଙ୍କ ମକର ଚୌରାଶି ବେଶ

ପୁରୀ, ୧୫ ଜାନୁଆରୀ – ଆଜି ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଛଅ ମୂର୍ତି ଅଳଙ୍କାରରେ କାଳିଆ ଠାକୁରଙ୍କ ମକର ଚୌରାଶି ବେଶ ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କୁ ମକର ଚାଉଳ ପ୍ରସାଦ ଲାଗି ହୋଇଛି । ଆଜି ଦିନରେ ସୂର୍ଯ୍ୟ ଉତରାୟଣ ଗତି ସହିତ ମକର ରାଶିରେ ପ୍ରବେଶ କରନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତୀ ଏକ ପ୍ରମୁଖ ଯାତ୍ରା ।

ଗତକାଲି ମା ମହାଲକ୍ଷ୍ମୀ ବାପଘରୁ ଫେରିଥିଲେ । ମକର ମାସର ପ୍ରଥମ ଦିନରେ ଦୀର୍ଘ ଏକ ମାସ ପରେ ଆଜିଠାରୁ ପତ୍ନୀ ହାତ ରନ୍ଧା ଖାଇଛନ୍ତି କାଳିଆ ଠାକୁର । ମକର ସଂକ୍ରାନ୍ତିର ଏହି ପବିତ୍ର ଦିନରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯାଇଥିଲା । ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥିଲା । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ସମ୍ପନ୍ନ ହୋଇଥିଲା । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତି ଅଳଙ୍କାର ଲାଗି ହୋଇ ମକର ଚୌରାଶି ବେଶ ହୋଇଥିଲେ ବେନିଭାଇ । ଘଂଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀଙ୍କ ହାତପୈଠ ହୋଇ ରୋଷଘର ଠାରୁ ଶ୍ରୀଛାମୁକୁ ଭୋଗ ଆସିଥିଲା । ଭୋଗଟେରା ବନ୍ଧାହେବା ପରେ ସମ୍ପନ୍ନ ହୋଇଥିଲା ଦିଗପାଳ ବଳି ନୀତି । ଭୋଗ ବଢ଼ିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଟେରା ବନ୍ଧା ଯାଇଥିଲା । ଇତି ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥିଲା । ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା ଯାଇ ରଖାଯାଇଥିଲା । ଏହି ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥିଲେ ଶୁଦ୍ଧ ସୁଆର । ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଂଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢିଥିଲେ । ଦୁଧ, ଗୁଡ଼ିଆ ଶାକର ସବୁକୁ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେବା ପରେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥିଲେ । ହଡ଼ପ ନାୟକ ସେବକ ଘଂଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରଙ୍କୁ ଦେଇଥିଲେ । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଚୋଂପଚାରରେ ମଣୋହି କରିଥିଲେ । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କ ବନ୍ଦାପନା ଅନୁଷ୍ଠିତ ହୋଇଥିଲା । ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନିକଟରେ ୮୪ ରକମର ଭୋଗ ଲାଗି ହୋଇଛି । ଯାହାକୁ ସୁଆରମାନେ ଅତି ଶ୍ରଦ୍ଧାରେ ଶ୍ରୀଜୀଉଙ୍କୁ ଲାଗି କରିଛନ୍ତି । ଏହାକୁ ମକର ଚୌରାଶି ଭୋଗ କୁହାଯାଏ ।
ଆଜି ଠାରୁ ପତ୍ନୀଙ୍କ ହାତ ରନ୍ଧା ଖାଇଛନ୍ତି କାଳିଆ ଠାକୁର । ପୌଷ ମାସରେ ବାପଘରକୁ ଯାଇଥିଲେ ମହାଲକ୍ଷ୍ମୀ । ମାଙ୍କ ହାତ ରନ୍ଧା ପହିଲି ଭୋଗ ଖାଇ ଆସୁଥିଲେ ବେନିଭାଇ । ମକର ଭାର ନେଇ ଗତକାଲି ଲକ୍ଷ୍ମୀଙ୍କ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ ପରେ ପହିଲି ଭୋଗର ବିଧି ଗତକାଲି ଠାରୁ ସମାପ୍ତ ହୋଇଛି ।

Show More

Related Articles

Back to top button