ପୁରୀ ବଡଦାଣ୍ଡରେ ଶ୍ରୀମନ୍ଦିର ସାମ୍ନାରେ ଗୁଳିମାଡ

ପୁରୀ: ପୁରୀ ବଡଦାଣ୍ଡରେ ରକ୍ତର ଛିଟା । ଶ୍ରୀମନ୍ଦିର ସାମ୍ନା ପବିତ୍ର ବଡ଼ଦାଣ୍ଡରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ଗୁଳି ମାଡରେ ଜଣେ ଜଣଙ୍କର ହତ୍ୟା ହୋଇଛି। ମୃତ ଯୁବକ ହେଲେ ଟାଉନ୍ ଥାନା ଅନ୍ତର୍ଗତ ତଳୁଛ ସାହିର ଶିବରାମ ପାତ୍ର। ତେବେ ପୁଲିସ ଅଳ୍ପ ସମୟ ମଧ୍ୟରେ ଅଭିଯୁକ୍ତକୁ ଧରିଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଗିରଫ ବ୍ୟକ୍ତିଙ୍କ ନାମ କହିବାକୁ ପୁଲିସ ମନା କରି ଦେଇଛି। ପୁରୀ ଏସ୍ପି କେ. ବିଶାଲ ସିଂହ କହିଛନ୍ତି, ବଡ଼ଦାଣ୍ଡର ଏମାର ମଠ ସାମ୍ନାରେ ଦୁର୍ବୃତ୍ତ ଶିବରାମ ପାତ୍ରଙ୍କୁ ଅତି ନିକଟରୁ ଗୁଳି କରିଥିଲା। ଗୁଳିମାଡ଼ର ଶିକାର ହେବା ପରେ ଶିବରାମ ତଳେ ପଡ଼ିଯାଇଥିଲେ। ତାଙ୍କର ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏବଂ ସେ ତଳେ ପଡ଼ି ଛଟପଟ ହେଉଥିଲେ। ସୂଚନା ପାଇ ପୁଲିସ କମ୍ ସମୟ ମଧ୍ୟରେ ଶିବରାମଙ୍କ ପାଖରେ ପହଞ୍ଚିଥିଲା। ଏକ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶିବରାମଙ୍କୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଶିବରାମଙ୍କ ମୃତ୍ୟୁ ହୋଇଥିଲା। ଏସ୍ପି ଶ୍ରୀ ସିଂହ କହିଛନ୍ତି ଯେ,ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଅନୁମାନ କରାଯାଉଛି।