Breaking PLUSଦେଶମୁଖ୍ୟ ଖବର

ଖରିଫ୍ ଚାଷକୁ ଝଟକା : କମିଛି ଚାଷ ହୋଇଥିବା ଅଞ୍ଚଳ

ପ୍ରଭାବିତ ହୋଇପାରେ ଧାନ ଓ ଡାଲି ଫସଲ

ଭାରତରେ କୃଷି ଉତ୍ପାଦନ ଲଗାତର ୬ ବର୍ଷ ରେକର୍ଡ ସ୍ତରରେ ଥିଲା । ମାତ୍ର ଚଳିତ ବର୍ଷ ଖରିଫ ଚାଷକୁ ଲାଗିଛି ଝଟକା। ଏହାର କାରଣ ହେଲା ଦେଶରେ ପ୍ରମୁଖ ଉତ୍ପାଦିତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଉକ୍ତ ସ୍ଥାନ ଗୁଡିକରେ ଯେତେ ପରିମାଣର ବର୍ଷା ହେବା କଥା ହୋଇନାହିଁ । ଫଳରେ ପ୍ରମୁଖ ରାଜ୍ୟଗୁଡିକରେ ଚାଷ ହୋଇଥିବା ଏରିଆର ଅଂଶ ହ୍ରାସ ହୋଇଛି । ଏହା ଦ୍ୱାରା ଧାନ ଏବଂ ଡାଲି ଜାତୀୟ ଫସଲ ଉତ୍ପାଦନ ହ୍ରାସ ହେବ ବୋଲି ଆଶଙ୍କା କରାଯାଉଛି । ଅଦ୍ୟାବଧି ଖରିଫ କୃଷି ହେଉଥିବା ଏରିଆରେ ୧.୫% ହ୍ରାସ ହୋଇଛି । ଧାନ କ୍ଷେତ୍ରରେ ଏହା ୬% । ଦେଶର ସବୁଠାରୁ ଅଧିକ ଧାନ ଚାଷ ହେଉଥିବା ରାଜ୍ୟ ପଶ୍ଚିମବଙ୍ଗରେ ଧାନ ଚାଷ ହୋଇଥିବା ଏରିଆ ୧୨.୫% ହ୍ରାସ ହୋଇଛି । ରିପୋର୍ଟ ମୁତାବକ ପ୍ରମୁଖ ରାଜ୍ୟଗୁଡିକରେ ଯେତେ ପରିମାଣରେ ବର୍ଷା ହେବା କଥା ତାହା ହୋଇନାହିଁ । ଯାହାର ସିଧାସଳଖ ପ୍ରଭାବ ଚାଷ ଉପରେ ଦେଖାଯାଇଛି । ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟଗୁଡିକରେ ଏହି ଭଳି ନିଅଣ୍ଟିଆ ବର୍ଷା ଯୋଗୁ କୃଷି କାର୍ଯ୍ୟରେ ବାଧା ଆସିଛି । ଧାନ ଚାଷ ହୋଇଥିବା ଏରିଆ କମିବାରୁ ୨୦୨୨-୨୩ ଶସ୍ୟ ବର୍ଷରେ ୬ରୁ ୧୦ ନିୟୁତ ଟନ୍‌ ଧାନ ଉତ୍ପାଦନ ହ୍ରାସ ହୋଇପାରେ । ଗତ ବର୍ଷ ଏହି ଉତ୍ପାଦନ ରେକର୍ଡ ସ୍ତର ୧୨୯ ନିୟୁତ ଟନ୍‌ ରହିଥିଲା ବୋଲି ବାଣିଜ୍ୟିକ ଆକଳନରୁ ସାମ୍ନାକୁ ଆସିଛି ।

ସେହିଭଳି ଖରିଫ ଉତ୍ପାଦନ ହ୍ରାସ ହୋଇଥିବାରୁ ଦରଦାମ ବୃଦ୍ଧି ହେବା ନେଇ ମଧ୍ୟ ଆଶଙ୍କା କରାଯାଇଛି । ଏହି ଋତୁରେ ସାଧାରଣତଃ ୮୦% ଉତ୍ପାଦନ ହୋଇଥାଏ । କୃଷି ମନ୍ତ୍ରଣାଳୟ ଡାଟା ଅନୁସାରେ ଖରିଫ କୃଷି ଯଥା-ଧାନ, ଡାଲି ଜାତୀୟ, ତୈଳବୀଜ, କପା ଭଳି ଅନ୍ୟ ଶଷ୍ୟ ୧୦୪.୫ ନିୟୁତ ହେକ୍ଟର ଜମିରେ ଚାଷ ହୋଇଛି । ଗତ ବର୍ଷ ଅଦ୍ୟାବଧି ଏହି ସମୟ ସୁଦ୍ଧା ଏହା ୧୦୬.୧ ନିୟୁତ ହେକ୍ଟର ରହିଥିଲା । ଖରିଫ କୃଷି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି । ମୋଟ ୩୬.୭ ନିୟୁତ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏହା ଗତ ବର୍ଷ ତୁଳନାରେ ୬% ନିମ୍ନରେ ରହିଛି । ୨୦୧୬-୨୭ ପରଠାରୁ ୨୦୨୧-୨୨ ମଧ୍ୟରେ ବାର୍ଷିକ ହାରାହାରି ଖରିଫ ଧାନ ଚାଷ ହେଉଥିବା ଏରିଆ ୩୯.୭ ନିୟୁତ ହେକ୍ଟର ରହିଛି । ତେବେ ପଶ୍ଚିମବଙ୍ଗରେ ୩.୬ ନିୟୁତ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଗତ ବର୍ଷ ତୁଳନାରେ ଏହା ୧୨.୫% ନିମ୍ନରେ ରହିଛି । ପଶ୍ଚିମବଙ୍ଗ ୧୬.୬ ନିୟୁତ ଟନ୍‌ ଧାନ ଉତ୍ପାଦନ କରୁଥିବା ବେଳେ ଏହା ସାରା ଦେଶର ମୋଟ ଉତ୍ପାଦନ ୧୨୨.୨ ନିୟୁତ ଟନ୍‌ର ପ୍ରାୟ ୧୩%ରୁ ଉଦ୍ଧ୍ୱର୍ ହେବ । ଧାନ ଉତ୍ପାଦନରେ ପ୍ରମୁଖ ଥିବା ଅନ୍ୟ ରାଜ୍ୟ ଝାଡଖଣ୍ଡରେ ୧ ନିୟୁତ ହେକ୍ଟର କମ୍‌ ଜମିରେ ଧାନ ଚାଷ ହୋଇଛି । ସେହିଭଳି ଛତିଶଗଡରେ ଏହା ୦.୩ ନିୟୁତ ହେକ୍ଟର, ବିହାରରେ ୦.୨ ନିୟୁତ ହେକ୍ଟର, ଉତ୍ତର ପ୍ରଦେଶ ୦.୨ ନିୟୁତ ହେକ୍ଟର ଏବଂ ଓଡ଼ିଶାରେ ୦.୨ ନିୟୁତ ହେକ୍ଟର କମ୍‌ ଜମିରେ ଧାନ ଚାଷ ହୋଇଛି । ସେହିଭଳି ପୂର୍ବ ବର୍ଷ କଥା ବିଚାରକୁ ନେଲେ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟଗୁଡିକରେ ଅପେକ୍ଷାକୃତ ଧାନ ଚାଷ ହୋଇଥିବା ଏରିଆଗୁଡିକ ଉନ୍ନତ ସ୍ଥାନରେ ରହିଛନ୍ତି । ସୋୟାବିନ ଏବଂ ବାଦାମ ଭଳି ତୈଳବୀଜ ୧୮.୬ ନିୟୁତ ହେକ୍ଟର ଜମିରେ ଚାଷ ହୋଇଛି । ଏହା ଗତ ବର୍ଷ ସମାନ ସମୟ ତୁଳନାରେ ଅପେକ୍ଷାକୃତ କମ୍‌ । ଗତ ବର୍ଷ ତୁଳନାରେ ୫% କମ୍‌ ସ୍ଥାନରେ ଡାଲିଜାତୀୟ ଫସଲ ହୋଇଛି । ଭାରତ ଏହାର ଖାଇବା ତେଲର ୫୬% ଆମଦାନି ଦ୍ୱାରା ପୂରଣ କରୁଛି । ସେହିଭଳି ୧୫% ଡାଲି ଚାହିଦା ଆମଦାନି ଦ୍ୱାରା ମେଣ୍ଟୁଛି । କପାଚାଷ ୬% ଉଦ୍ଧ୍ୱର୍ରେ ରହିଥିବା ବେଳେ ଆଖୁ ଚାଷ ଗତ ବର୍ଷ ତୁଳନାରେ ଅପେକ୍ଷାକୃତ ଅଧିକ ରହିଛି । ପାଣିପାଗ ବିଭାଗ ଡାଟା ମୁତାବକ, ଜୁନ ପହିଲାରୁ ଅଗଷ୍ଟ ୨୬ ମଧ୍ୟରେ ୭୧୭ ମିଲିମିଟର ବର୍ଷା ହୋଇଛି । ଯାହା କୃଷି କାର୍ଯ୍ୟ ପାଇଁ ଅନୁକୂଳ । ସାଧାରଣ ସ୍ତର ଠାରୁ ଏହା ୮% ଉଚ୍ଚରେ । ଏହାର ଦୀର୍ଘ ସମୟ ହାରାହାରି ସ୍ତର ୬୬୪ ମିଲିମିଟର । ଅତ୍ୟଧିକ ବର୍ଷା ଯୋଗୁ ଦକ୍ଷିଣ, କେନ୍ଦ୍ର ଏବଂ ଉତ୍ତର ପଶ୍ଚିମ ଭାରତରେ ପାଣି ଜମିବା ଏବଂ ବନ୍ୟା ସ୍ଥିତି ଉପୁଜିଥିଲା । ମାତ୍ର ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଝାଡଖଣ୍ଡ ଭଳି ରାଜ୍ୟଗୁଡିକରେ ନିଅଣ୍ଟିଆ ବର୍ଷା ଯୋଗୁ ଧାନ ଚାଷ ପ୍ରଭାବିତ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ନିଅଣ୍ଟିଆ ବର୍ଷା ଯୋଗୁ ଉତ୍ପାଦନ କେତେ ପରିମାଣରେ ହ୍ରାସ ହେବ ସେନେଇ ସେପ୍ଟେମ୍ବର ମଧ୍ୟ ଭାଗ ସୁଦ୍ଧା କିଛିଟା ଆକଳନ କରାଯାଇପାରିବ ବୋଲି ଅଧିକାରି କହିଛନ୍ତି । କୃଷି ମନ୍ତ୍ରଣାଳୟ ପକ୍ଷରୁ ୨୦୨୨-୨୩ କୃଷି ବର୍ଷର ଖରିଫ ଶସ୍ୟ ଉତ୍ପାଦନ ଆକଳନ ଆସନ୍ତା ମାସରେ ପ୍ରକାଶିତ ହେବ ବୋଲି କୁହାଯାଉଛି ।

Show More

Related Articles

Back to top button