ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

‘ଶିବ ସେନା’ର ମୁଖ୍ୟ ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା

ଅମୃତସର: ପଞ୍ଜାବର ଅମୃତସରରେ ଶୁକ୍ରବାର ଅପରାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସ୍ଥାନୀୟ ସଙ୍ଗଠନ ‘ଶିବ ସେନା’ର ମୁଖ୍ୟ ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିର ସମ୍ମୁଖରେ ସେ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଏକ ପିସ୍ତଲରୁ ଗୁଳି କରାଯାଇଥିଲା। ଏହି ଘଟଣାର ଏକମାତ୍ର ଅଭିଯୁକ୍ତ ସନ୍ଦୀପ ସିଂହଙ୍କୁ ପୁଲିସ୍ ଗିରଫ କରିଛି। ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି ସୂଚନା ମିଳିଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଏକ ମନ୍ଦିର ବାହାରୁ କିଛି ଭଙ୍ଗା ମୂର୍ତ୍ତି ମିଳିଥିଲା। ଏହାକୁ ନେଇ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ସୁଧୀର ସୁରୀଙ୍କର ପ୍ରବଳ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଯେତେବେଳେ ତାଙ୍କ ଉପରକୁ ଗୁଳିମାଡ଼ ହେଲା ସେତେବେଳେ ସେ ଏହି ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ। ସୁରୀଙ୍କ ଜୀବନ ପ୍ରତି ବିପଦ ଥିଲା। ସେ ବିବାଦୀୟ ମନ୍ତବ୍ୟ ଦେଉଥିଲେ ଓ ସବୁବେଳେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରୁଥିଲେ। ତେଣୁ ସେ ହିଟ୍‌ଲିଷ୍ଟରେ ଥିଲେ। ସେଥିପାଇଁ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ତେବେ ପୁଲିସ୍ ଉପସ୍ଥିତ ଥିଲେ ହେଁ ଅଭିଯୁକ୍ତ ତାଙ୍କ ପିସ୍ତଲରୁ ସୁରୀଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଦୁଇଟି ସୁରୀଙ୍କ ଶରୀରରେ ବାଜିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ଉପସ୍ଥିତ ଲୋକେ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ। କୁହାଯାଉଛି, ଅଭିଯୁକ୍ତ ଏକ ଏସ୍‌ୟୁଭିରେ ଆଉ ୩ ଜଣଙ୍କ ସହିତ ସେଠାକୁ ଆସିଥିଲେ। ତେବେ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ। ସୁରୀଙ୍କୁ ଅଭିଯୁକ୍ତ କାହିଁକି ହତ୍ୟା କଲେ, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଏନେଇ କିଛି କହି ନଥିବା ବେଳେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛି।

 

 

Show More

Related Articles

Back to top button