
ବାଙ୍ଗାଲୋର : ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକର ହୁବୁଳୀ ଠାରେ ଏକ ଯାତ୍ରୀ ବାହୀ ବସ୍କୁ ଲରି ଧକ୍କା ଦେଇଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସହ ୨୬ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ନିକଟସ୍ଥ ହୁବୁଳୀର କେଆଇଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମଧ୍ୟ ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ପୋଲିସ ଦେଇଥିବା ସୂଚନା ଅନୁଯାୟୀ , ସୋମବାର ବିଳମ୍ବିତ ରାତିରେ ଯାତ୍ରୀବାହୀ ବସଟି କୋହ୍ଲାପୁରରୁ ବାଙ୍ଗାଲୋର ଯାଉଥିଲା । ଏହି ସମୟରେ ଧାରବାଡ଼ ଅଭିମୁଖେ ଯାତ୍ରା କରୁଥିବା ଲରି ସହ ବସ୍ ଧକ୍କା ହୋଇଥିଲା । ବସ୍ ଡ୍ରାଇଭର ଲରିକୁ ଓଭର ଟେକ୍ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବୋଲି କୁହାଯାଉଛି । ଘଟଣାସ୍ଥଳରେ ହିଁ ଉଭୟ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।