
ନୂଆଦିଲ୍ଲୀ: ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଘଡ଼ଘଡ଼ି ହେଉଛି। ଅସ୍ତବ୍ୟସ୍ତ ହେଉଛି ରାଜଧାନୀ ଦିଲ୍ଲୀ। ଭୀଷଣ ବର୍ଷାରେ ଜଳବନ୍ଦୀ ଦିଲ୍ଲୀ ସହର। ଜଳ ନିଷ୍କାସନ ହୋଇ ନପାରିବାରୁ ସହର ଭିତରେ ଲହଢ଼ି ଭାଙ୍ଗୁଛି ବର୍ଷା ଜଳ। ଠପ୍ ହୋଇ ପଡ଼ିଛି ରାଜଧାନୀବାସୀଙ୍କ ଜୀବନଯାତ୍ରା। ମୁଖ୍ୟତଃ ଦିଲ୍ଲୀ-ଏନସିଆରରେ ପରିସ୍ଥିତି ସଂଗୀନ ହୋଇପଡ଼ିଛି। ଗତ ଦୁଇ ଦିନ ହେବ ପ୍ରବଳ ବର୍ଷା ହୋଇଥିବାରୁ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଓ୍ୱାର୍ଣ୍ଣିଂ’ ଜାରି କରାଯାଇଛି । ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମରେ ସ୍କୁଲ ବନ୍ଦ କରି ଦିଆଯାଇଛି। ସେହିପରି କର୍ପୋରେଟ୍ ଓ ଘରୋଇ କାର୍ଯ୍ୟାଳୟ ଗୁଡ଼ିକୁ ଦିନକ ପାଇଁ ୱାର୍କଫ୍ରମ ହୋମ କରିବା ପାଇଁ କୁହାଯାଇଛି। ପ୍ରବଳ ଘଡ଼ଘଡ଼ି ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ୧୧ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁରୁବାର ଦିଲ୍ଲୀରେ ୪୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ଆଇଏମଡି ସୂଚନା ଅନୁଯାୟୀ, ଆଗାମି ୨ ଦିନ ଦିଲ୍ଲୀ ଏବଂ ପୂର୍ବ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ । ପ୍ରବଳ ବର୍ଷା ଯୋଗୁଁ ନୋଏଡା ଏବଂ ଗ୍ରେଟର ନୋଏଡାର ପ୍ରଥମ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିଛି । ଜିଲ୍ଲା ବିଦ୍ୟାଳୟ ଇନ୍ସପେକ୍ଟର ଧରମବୀର ସିଂ କହିଛନ୍ତି ଯେ ପାଣିପାଗ ବିଭାଗ ଏହି ଅଞ୍ଚଳରେ ବର୍ଷା ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି ।ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁଗ୍ରାମର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ଶୁକ୍ରବାର ଛୁଟି ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।