ମେ ୨ରୁ ସକାଳ ୬ଟାରୁ ୯ଟା ସ୍କୁଲ
ବେଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମେ' ୨ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨୬ରୁ ୩୦ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଏବେବି ଗ୍ରୀଷ୍ମ ପ୍ରଭାବ କମିନଥିବାରୁ ଏହି ଛୁଟି ବଢିବ ବୋଲି ଆଶାକରାଯାଉଥିଲା । ହେଲେ ବେଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମେ’ ୨ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ ବୋଲି ଆଜି ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏତେ ସକାଳୁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ। ଓଡ଼ିଶା ପ୍ରାଇମେରୀ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ପ୍ରତିକ୍ରିୟାରେ କହିଛନ୍ତି, ସକାଳ ୬ଟାରୁ ଶିକ୍ଷକ ହୁଅନ୍ତୁ ଅବା ଛୋଟ ଛୋଟ ପିଲା ସ୍କୁଲ ଆସିବା ଏତେ ସହଜ ନୁହେଁ । ତେଣୁ ସ୍କୁଲ ଖୋଲିବା ସମୟ ସକାଳ ୬ଟା ୩୦ କରାଯାଉ ବୋଲି ସଂଘ ଦାବି କରିଛି । ସେହିପରି ଏଲଆରପି କୋର୍ସ ପାଠ ପଢ଼ା ହେଲେ ଶିକ୍ଷକମାନଙ୍କର ୩୫ ଦିନ ଛୁଟି କମିଯିବ । ତେଣୁ ଶିକ୍ଷକଙ୍କୁ ଅଧିକ ପାରିଶ୍ରମିକ ଦିଆଯାଉ ବୋଲି ସଂଘ ଦାବି କରିଛି ।