ଓଡ଼ିଶାମୁଖ୍ୟ ଖବର

ଖୋଲିଲା ଜଗା ଦୁଆର

ଦର୍ଶନ କରୁଛନ୍ତି ପୁରୀବାସୀ

ପ୍ରତୀକ୍ଷାର ଅନ୍ତ । ପୁରୀବାସୀଙ୍କ ପାଇଁ ଖୋଲିଲା ଜଗା ଦୁଆର । ଦୀର୍ଘ ୪ ମାସ ପରେ କାଳିଆ ଠାକୁରଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ୧୨ ଓ ୧୩ ତାରିଖ ଦୁଇଦିନ ଧରି ସେବାୟତ ପରିବାର ସଦସ୍ୟ ଦର୍ଶନ କରିବା ପରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ ।ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଭିତରେ ତିନୋଟି ପର୍ଯ୍ୟାୟରେ ପୁରୀବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ସକାଳ ୭ ଟାରୁ ୧୦.୩୦ ମଧ୍ୟରେ ୱାର୍ଡ ନଂ ୩,୧୫,୧୮ ବାସିନ୍ଦା। ୧୧ ଟାରୁ ଅପରାହ୍ନ ୨.୩୦ ମଧ୍ୟରେ ୱାର୍ଡ ନଂ ୬, ୯ ଓ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୭ଟା ମଧ୍ୟରେ ୱାର୍ଡ ନଂ ୧୧, ୧୨, ୧୪ର ଶ୍ରଦ୍ଧାଳୁଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ତିନୋଟି ପର୍ଯ୍ୟାୟ ପାଇଁ ପୌରସଂସ୍ଥା ଘରଘର ବୁଲି ଟୋକନ ବଣ୍ଟା ଯାଇଥିବା ବେଳେ ଭଡ଼ାଟିଆଙ୍କ ପାଇଁ ସ୍ବତନ୍ତ୍ର ଟୋକନ ବ୍ୟବସ୍ଥା କରାଯାଇଛି।

ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କୁ ଟୋକନ୍ ସହ ନିଜର ଯେକୌଣସି ପରିଚୟପତ୍ର ଦେଖାଇ ଧାଡିରେ ଯାଇ ସିଂହଦ୍ଵାରରେ ପ୍ରବେଶ କରି ଦର୍ଶନ କରିବା ପରେ ଉତ୍ତରଦ୍ବାରରେ ପ୍ରସ୍ଥାନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ତେବେ କେବଳ ସେତିକି ନୁହେଁ, ଦର୍ଶନାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ ୮ କିଓସ୍କୋ ମେସିନ ସହ ପାନୀୟ ଜଳ, ଆମ୍ବୁଲାନ୍ସ ଏବଂ ସାନିଟାଇଜର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ସାମାଜିକ ଦୂରତାରେ ଯାଇ ଭକ୍ତମାନେ ଯେମିତି ଦର୍ଶନ କରିବାକୁ ଯାଇପାରିବେ, ଆନନ୍ଦ ବଜାରରୁ ମହାପ୍ରସାଦ କିଣିପାରିବେ, ତାହାକୁ ଗୁରୁତ୍ବ ଦିଆଯିବା ସହିତ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ପାଇଁ ୪୦ରୁ ଅଧିକ ଅଫିସର ଓ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆସନ୍ତା ୨୩ ତାରିଖରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

Show More

Related Articles

Back to top button