
ଜୟପୁର: କଂଗ୍ରେସ ଅଧ୍ୟକ୍ଷ କିଏ ହେବେ, ତା’ର ନିଷ୍ପତ୍ତି ଦଳ ନିର୍ବାଚନ ଜରିଆରେ ନେବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ହେଲେ ନିର୍ବାଚନ ପୂର୍ବରୁ ସାଂସଦ ରାହୁଲ ଗାନ୍ଧିଙ୍କୁ ସଭାପତି କରିବାକୁ ରାଜସ୍ଥାନ କଂଗ୍ରେସ ସର୍ବସମ୍ମତିକ୍ରମେ ଗୋଟିଏ ସଂକଳ୍ପ ପାରିତ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହଲଟଙ୍କ ନେତୃତ୍ୱରେ ଏପରି ଏକ ସଂକଳ୍ପ ପାରିତ ହୋଇଛି। ଜୟପୁରରେ କଂଗ୍ରେସ ସଭାପତି ନିର୍ବାଚନ ସମ୍ପର୍କରେ ଆଲୋଚନା କରିବା ପାଇଁ ଶନିବାର ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବୈଠକ ବେଳେ ଗେହଲଟ ପ୍ରଥମେ ରାହୁଲ ଗାନ୍ଧିଙ୍କୁ ଆଗାମୀ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ କରିବାକୁ ଗୋଟିଏ ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପାରିତ କରିଛନ୍ତି। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନିଜ ଆଡ଼ୁ ରାହୁଲ ଗାନ୍ଧିଙ୍କୁ ସଭାପତି କରିବାକୁ ସଂକଳ୍ପ ପାରିତ କରିବା ନୂଆ ଟ୍ୱିଷ୍ଟ ଆସିଛି। ରାଜସ୍ଥାନ ପ୍ରଥମ ରାଜ୍ୟ ଭାବେ ରାହୁଲ ଗାନ୍ଧି ପୁଣିଥରେ କଂଗ୍ରେସର ମଙ୍ଗ ସମ୍ଭାଳନ୍ତୁ ଏପରି ଏକ ସଂକଳ୍ପ ପାରିତ କରିଛି। ଆଗାମୀ ଦିନରେ ଅନ୍ୟ ରାଜ୍ୟର କଂଗ୍ରେସ ୟୁନିଟ ମଧ୍ୟ ରାହୁଲ ଗାନ୍ଧିଙ୍କ ସପକ୍ଷରେ ସଂକଳ୍ପ ପାରିତ କରିବେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୪ରୁ କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ହିଁ ରାଜସ୍ଥାନ କଂଗ୍ରେସ ବୈଠକ କରି ଏପରି ନିଷ୍ପତ୍ତି ନେଇଛି। ବୈଠକ ପରେ ରାଜସ୍ଥାନ ମନ୍ତ୍ରୀ ପ୍ରତାପ ସିଂହ ଖାଚାରିୟା କହିଛନ୍ତି, ବୈଠକରେ ଦଳର ପରବର୍ତ୍ତୀ ହାଇକମାଣ୍ଡ ହିଁ ରାଜସ୍ଥାନ କଂଗ୍ରେସ ମୁଖିଆଙ୍କୁ ନିଯୁକ୍ତି ଦେବେ ବୋଲି ଆଉ ଏକ ସଂକଳ୍ପ ଉପରେ ମୋହର ବାଜିଛି। ଦଳର ମୁଖିଆ ହିଁ ଏଆଇସିସି ପାଇଁ ସଦସ୍ୟଙ୍କୁ ମନୋନୀତ କରିବେ। କଂଗ୍ରେସ ବର୍ତ୍ତମାନ ଏକ ହୋଇ ରହିଛି ଓ ରାହୁଲ ଗାନ୍ଧିଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀ ଗେହଲଟ ନିଜେ ହିଁ ସଂକଳ୍ପ ଆଣିଛନ୍ତି। କଂଗ୍ରେସ ନେତା ଓ କର୍ମୀମାନେ ହାତ ଉଠାଇ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏଥିସହ ରାଜ୍ୟର କଂଗ୍ରେସ ମୁଖିଆ କିଏ ହେବେ ଓ ଏଆଇସିସି ସଦସ୍ୟ ଭାବେ କାହାକୁ ମନୋନୀତ କରାଯିବ, ତା’ର ନିଷ୍ପତ୍ତି ମଧ୍ୟ କଂଗ୍ରେସ ସଭାପତିଙ୍କ ଉପରେ ଛଡ଼ା ଯାଇଥିବା ସେ କହିଛନ୍ତି।