ବିଧାୟକ ପଦରୁ ରାଘବଙ୍କ ଇସ୍ତଫା
ଗୁରୁବାର ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କୁ ଭେଟି ରାଘବ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

ଦିଲ୍ଲୀର ରାଜେନ୍ଦ୍ର ନାଗରରୁ ବିଧାୟକ ରାଘବ ଚଡ୍ଡା ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କୁ ଭେଟି ରାଘବ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ସୂଚନା ମୁତାବକ ତାଙ୍କୁ ପଞ୍ଜାବରୁ ରାଜ୍ୟ ସଭାକୁ ପଠାଇବାକୁ ଆମ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି। ଯାହାଫଳରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ, ସୋମବାର ରାଘବ ରାଜ୍ୟ ସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଗୁରୁବାର ସେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭା ନିର୍ବାଚନ ଜିତିଛନ୍ତି। ଅନ୍ୟପଟେ ରାଜ୍ୟ ସଭାକୁ ଯିବା ସମ୍ପର୍କରେ ସେ କହିଛନ୍ତି, କେଜ୍ରିୱାଲ ସରକାର ଏବଂ ମୁଁ ବିଧାୟକ ଭାବେ ନିଜ ଅଞ୍ଚଳ ପାଇଁ ବହୁତ କାମ କରିଥିଲୁ। ଯଥାସମ୍ଭବ କାର୍ଯ୍ୟ କରାଯାଇଥିଲା। ତେବେ ସେ ବିଧାନସଭାର ସମସ୍ତ ଲୋକଙ୍କୁ କୁତଜ୍ଞତା ଜଣାଇଛନ୍ତି। ସ୍ଥାନ ବଦଳିଛି କିନ୍ତୁ ସେବା ଜାରି ରହିବ ବୋଲି ରାଘବ କହିଛନ୍ତି। ଏତଦ୍ ବ୍ୟତୀତ ସେ କହିଛନ୍ତି, ଏହା କେବଳ ଏଏପିରେ ସମ୍ଭବ କି ଜଣେ ସାଧାରଣ ଘରୁ ଆସୁଥିବା ପିଲାଙ୍କୁ ଏତେ ବଡ଼ ଦାୟିତ୍ୱ ଦିଆଯିବା। ଏଥିପାଇଁ ସେ ନେତା କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।