ଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ଅଧୀନକୁ ନେଲା ପରେ ପାଶ୍ଚାତ୍ୟ ଦେଶକୁ ପୁଟିନଙ୍କ ଚେତାବନୀ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ଅଧୀନରେ ସାମିଲ କରିଛି। ରାଷ୍ଟ୍ରପତି ପୁଟିନ ପୂର୍ବରୁ ଏଥିନେଇ ସଙ୍କେତ ଦେଇ ସାରିଥିବା ବେଳେ ଶୁକ୍ରବାର କ୍ରେମଲିନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ୟୁକ୍ରେନର ଡୋନେସ୍କ, ଲୁହାଂସ୍କ, ଖେରସନ ଏବଂ ଜାପୋରିଝିଆ ଅଞ୍ଚଳକୁ ରୁଷିଆ ସହିତ ସାମିଲ କରାଯାଇଛି ବୋଲି ପୁଟିନ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ଲକ୍ଷ ଲକ୍ଷ ନାଗରିକଙ୍କ ଇଛା ଏବେ ପୂରଣ ହୋଇଛି ବୋଲି ପୁଟିନ ନିଜ ବକ୍ତବ୍ୟରେ କହିଛନ୍ତି। ୟୁକ୍ରେନର ଏହି ୪ଟି ଅଞ୍ଚଳକୁ ରୁଷ ସେନା ଅକ୍ତିଆର କରିଥିଲା ବେଳେ କିଛି ଦିନ ତଳେ ଏସବୁକୁ ରୁଷରେ ମିଶ୍ରଣ କରିବା ନେଇ ରୁଷ ପକ୍ଷରୁ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ୯୦ ପ୍ରତିଶତରୁ ଅଧିକ ଲୋକ ରୁଷ ସହ ସାମିଲ ହେବାକୁ ମତ ଦେଇଥିଲେ ବୋଲି ରୁଷ ପକ୍ଷରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ଶୁକ୍ରବାର ଏହି ସବୁ ଅଞ୍ଚଳକୁ ରୁଷ ନିଜ ଦଖଲକୁ ନେଲା ବୋଲି ପୁତିନ କହିଛନ୍ତି। ପୁତିନଙ୍କ ଏହି ଘୋଷଣା ଦ୍ବାରା ୟୁକ୍ରେନର କେତେ ଅଞ୍ଚଳ ରୁଷରେ ସାମିଲ ହୋଇଛି ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ୟୁକ୍ରେନର ମୋଟ ଅଞ୍ଚଳର ୧୮ ପ୍ରତିଶତ ଭାବେ ପ୍ରାୟ ୪୨ ହଜାର ବର୍ଗ ମାଇଲ ସାମିଲ ହୋଇଥିବା କୁହାଯାଇଛି। ୟୁକ୍ରେନ ଅଞ୍ଚଳକୁ ରୁଷରେ ମିଶ୍ରଣ କରିବା ଘୋଷଣାକୁ ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧ କରିଥିଲା ବେଳେ ପୁଟିନ ଏହାର କଡ଼ା ଜବାବ ଦେଇଛନ୍ତି। ଏହିକ୍ରମରେ ସେ ଭାରତର ଇତିହାସକୁ ଦୋହରାଇବା ସହିତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଭାରତକୁ ଦୀର୍ଘ ସମୟ ଧରି ଲୁଟିଛନ୍ତି ବୋଲି କହିଛନ୍ତି।

Show More

Related Articles

Back to top button