କମିଲା କୋଭିସିଲ୍ଡ ଦର, ରାଜ୍ୟଗୁଡିକୁ ଏତିକି ଟଙ୍କା ଶସ୍ତାରେ ମିଳିବ ଟିକା
ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ଵସ୍ତିକର। କୋଭିସିଲ୍ଡ ଟିକା ଦର ହ୍ରାସ କଲା ସିରମ ଇନଷ୍ଟିଚ୍ୟୁଟ୍

ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୨୫ ପ୍ରତିଶତ ଅର୍ଥାତ ୧୦୦ ଟଙ୍କା ହ୍ରାସ ହୋଇଛି। ଏବେ ରାଜ୍ୟଗୁଡିକୁ ୩୦୦ ଟଙ୍କାରେ କୋଭିସିଲ୍ଡ ଟିକା ମିଳିବ। ପୂର୍ବେ ଏହି ଦର ୪୦୦ ଟଙ୍କା ଥିଲା। ଦର ହ୍ରାସ ନେଇ ବୁଧବାର ସୂଚନା ଦେଇଛନ୍ତି ସିରମ ସିଇଓ ଆଦର ପୁନାଓ୍ଵାଲା।ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମାଲିକ ତଥା ସିଇଓ ଅଦାର ପୁନାଓ୍ଵାଲା ଟ୍ଵିଟ୍ କରି କହିଛନ୍ତି, ସିରମ ପକ୍ଷରୁ ଏକ ପରୋପକାରୀ ପଦକ୍ଷେପ ଉଠାଯାଇ ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡ ଦର ହ୍ରାସ କରୁଛୁ। ଭ୍ୟାକ୍ସିନ ମୂଲ୍ୟ ହ୍ରାସ କରାଯାଇ ୪୦୦ ଟଙ୍କାରୁ ୩୦୦ ଟଙ୍କା କରାଯାଇଛି।ଏହା ପୂର୍ବରୁ ଟିକା ଦର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ପାଦନକାରୀ କମ୍ପାନୀଙ୍କୁ ଅପିଲ୍ କରିଥିଲେ। କେମିତ ଦର ହ୍ରାସ କରି ହେବ ତାର ଉପାୟ ଉପରେ ବିଚାର କରିବାକୁ କହିଥିଲେ। କିଛି ଦିନ ପୂର୍ବେ ଭାରତ ବାୟୋଟେକ୍ କୋଭାକ୍ସିନର ଦର ଧାର୍ଯ୍ୟ କରିଥିଲା।
କୋଭିସିଲ୍ଡର ଦାମ କମିବାରୁ ରାଜ୍ୟ ସରକାରଙ୍କ ଉପରୁ ଆର୍ଥିକ ବୋଝବାର ଟିକେ ହାଲୁକା ହେବା ସହ କୋଟି କୋଟି ଟଙ୍କା ବଞ୍ଚିଯିବ। ଏହି ସଞ୍ଚୟ ଟଙ୍କାରେ ଅଧିକ ଭ୍ୟାକ୍ସିନ ମଧ୍ୟ କିଣାଯାଇ ପାରିବ ଏବଂ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ।ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କୁ ସିରମ ଇନଷ୍ଟିଚ୍ୟୁଟ୍ ଡୋଜ୍ ପିଛା ୨୫୦ ଟଙ୍କାରେ ଟିକା ଉପଲବ୍ଧ କରାଉଥିଲା। ପରେ ଏହାର ଦାମ ହ୍ରାସ କରାଯାଇ ୧୫୦ ଟଙ୍କା କରାଗଲା। କିନ୍ତୁ ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଟିକାକରଣ ଘୋଷଣା କରାଯିବା ପରେ ସିରମ ଓ ଭାରତ ବାୟୋଟେକ୍ ଟିକାର ନୂତନ ଦର ଧାର୍ଯ୍ୟ କରିଥିଲେ। ଏବେ ସିରମ ରାଜ୍ୟ ସରକାରଙ୍କୁ ୩୦୦ ଟଙ୍କାରେ କୋଭିସିଲ୍ଡ ଓ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କାରେ ଟିକା ଦେବ। ଭାରତ ବାୟୋଟେକ୍ କୋଭାକ୍ସିନର ଗୋଟିଏ ଡୋଜ୍କୁ ୬୦୦ ଟଙ୍କାରେ ରାଜ୍ୟ ସରକାର ଏବଂ ୧୨୦୦ ଟଙ୍କାରେ ଘରୋଇ ହସ୍ପିଟାଲକୁ ଯୋଗାଇବ।