ଦେଶ ବିଦେଶମୁଖ୍ୟ ଖବର

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜୈସଲମେର ସୀମାରେ ମୁତୟନ ହୋଇଥିବା ସୀମା‌ ସୁରକ୍ଷା ବଳର ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସେଠାରେ ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୧୩୦କୋଟି ଦେଶବାସୀଙ୍କ ତରଫରୁ ମୋର ସମସ୍ତ ‘ହିରୋ’ଙ୍କୁ ଅଭିନନ୍ଦନ

ଦେଶର ସ୍ଥଳଭାଗକୁ, ଆକାଶ ସୀମାକୁ କିମ୍ବା ଜଳଭାଗକୁ ସୁରକ୍ଷ‌ା ଦେଉଥିବା ସମସ୍ତ ଯବାନଙ୍କୁ ମୁଁ ନମସ୍କାର ଜଣାଉଛି । ଆପଣମାନଙ୍କ ତ୍ୟାଗ ଅତୁଳନୀୟ। ଆପଣମାନଙ୍କ ପାଇଁ ଏ ଦେଶ ଅଛି ଏବଂ ଦେଶର ବିଭିନ୍ନ ପର୍ବ ପାଳନ ହୋଇପାରୁଛି। ମୁଁ ଆପଣଙ୍କ ଗହଣକୁ ପ୍ରତ୍ୟେକ ଭାରତୀୟଙ୍କ ଭଲପାଇବା ନେଇ ଆସିଛି। ତୁଷାରପାତ ହେଉଥିବା ପର୍ବତ ଶିଖର ହେଉ କିମ୍ବା ମରୁଭୂମିର ବିସ୍ତୀର୍ଣ୍ଣ ବାଲୁକାରାଶି , ମୋର ଦୀପାବଳି ଦେଶର ଯବାନମାନଙ୍କ ସହ ଦେଖା କରିବା ପରେ ହିଁ ସଂପୂର୍ଣ୍ଣ ହୁଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ସୀମାରୁ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ। କେବଳ ସେତିକି ନୁହେଁ, ଭାରତୀୟ ସୀମା ଉପରେ ନଜର ପକାଉଥିବା ଚୀନକୁ ବି କଡ଼ା ବାର୍ତ୍ତା ଦେଇଛନ୍ତି ନରେନ୍ଦ୍ର ମୋଦୀ। ଏହା ସହ ଲୋଙ୍ଗେୱାଲା ଲଢ଼େଇର କଥା କହି ଭାରତୀୟ ବୀର ଯବାନଙ୍କ ସାହସର ଓ ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସୂଚନାଅନୂଯାୟୀ, ଦେଶର ସାମରିକ ଇତିହାସରେ ଲୋଙ୍ଗେୱାଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ୧୯୭୧ମସିହାରେ ଏଠାରେ ଭାରତ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନର ଆକ୍ରମଣର ଯେଉଁଭଳି ଭାବରେ ଜବାବ ଦେଇଥିଲା, ତାହା ପାକିସ୍ତାନ ଏ ପର୍ଯ୍ୟନ୍ତ ଭୁଲି ପାରି ନାହିଁ। ଡିସେମ୍ବର ୪, ୧୯୭୧ରେ ହୋଇଥିବା ଯୁଦ୍ଧରେ ଭାରତର ମାତ୍ର ୧୨୦ଜଣ ଯବାନ ପାକିସ୍ତାନର ୩୦୦୦ ଯବାନଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ଏହି ଯୁଦ୍ଧରେ ପାକିସ୍ତାନକୁ ୩୪ଟି ଟ୍ୟାଙ୍କ, ୫୦୦ ସାମରିକ ଯାନ ଏବଂ ୨୦୦ ଯବାନଙ୍କୁ ହରାଇବାକୁ ପଡିଥିଲା। ତେବେ ଗତ ବର୍ଷ ଅକ୍ଟୋବର ୨୭, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରର ରଜୌରୀରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ସେନା ପୋଷାକରେ ମୋଦୀ ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ମିଠା ଖୁଆଇଥିଲେ। ଏହା ପୂର୍ବରୁ ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର ଉତ୍ତରକାଶୀରେ ସେନା ଏବଂ ଆଇଟିବିପି ଯବାନଙ୍କ ଗହଣ‌ରେ ଦୀପାବଳି ପାଳନ କରିଥିଲେ।

Show More

Related Articles

Back to top button