ଓଡ଼ିଶାମୁଖ୍ୟ ଖବର

ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ କମିଟି

ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ଘୋଷଣା କରିଥିଲେ

କରୋନା ସଂକ୍ରମଣ ବୃଦ୍ଧି ସମୟରେ CHSE ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ଵ ଦୂର ହୋଇଥିଲା। ତେବେ ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ କେମିତି ହେବ ଏବଂ କେଉଁ ଆଧାରରେ ମାର୍କ ଦିଆଯିବ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହାକୁ ନେଇ ରାଜ୍ୟ ସରକାର ଶନିବାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି।ଯୁକ୍ତ ୨ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଛି। ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ସାମିଲ କରାଯାଇଛି। କମିଟି ୧୦ ଦିନ ଭିତରେ ମୂଲ୍ୟାୟନ ଖସଡା ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟ ଆଧାରରେ ରାଜ୍ୟରେ ଯୁକ୍ତ ୨ ଦ୍ଵାଦଶ ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ ହେବ। ଏହାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଏହି କମିଟିରେ ପୂର୍ବତନ ବୋର୍ଡ ସଭାପତି ଡ. ସୁଶାନ୍ତ କୁମାର ଦାଶ, ରମାଦେବୀ ମହିଳା ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରିନସିପାଲ ଡକ୍ଚର ମମତା ପତ୍ରୀ, ସିଏଚଏସଇ ଉପାଧ୍ୟକ୍ଷ ଡର ତୁଷାରକାନ୍ତି ତ୍ରିପାଠୀ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି। ଉଚିତ୍ ସମୟରେ ଫଳାଫଳ ପ୍ରକାଶ ନେଇ ଉଦ୍ୟମ କରାଯିବ ଏବଂ ଏ ସଂପର୍କରେ ସମସ୍ତ ସୂଚନା ଛାତ୍ର-ଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଯେ ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କମିଟି ଗଠନ ହେବ । ଶିକ୍ଷାବିତ୍ ମାନେ ମଧ୍ୟ କମିଟିରେ ରହିବେ । ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବ ବିଶେଷଜ୍ଞ କମିଟି । ସେମାନେ କିଭଳି ପରୀକ୍ଷା ଫଳ ବାହାର କରୁଛନ୍ତି ତାହାର ନୀତି ନିୟମକୁ ମଧ୍ୟ ତର୍ଜମା କରାଯିବ । ତର୍ଜମା ପରେ ନିଷ୍ପତ୍ତି ନିଆଯିବ । ସିବିଏସଇ ଓ ଆଇସିଏସଇ ପରୀକ୍ଷାଫଳ ସମୟରେ ସିଏଚଏସଇ +୨ ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ଏହା ପୂର୍ବରୁ କରୋନାକୁ ଦୃଷ୍ଟିରେ ରଖି ସିବିଏସଇ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ୍ ହୋଇ ସାରିଛି।

Show More

Related Articles

Back to top button