କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର, 15 ଫେବୃଆରୀ – ଆସନ୍ତାକାଲି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ଜାରି ହୋଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଚଳିତ ବର୍ଷ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ। ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି। ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ପୁଅ ପରୀକ୍ଷା ଦେଉଥିବା ବେଳେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ରହିଛନ୍ତି। ମୋଟ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ଯାଏ ଚାଲିବ। ଆସନ୍ତାକାଲି ମାତୃଭାଷା ପରୀକ୍ଷା ଦେବେ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ। ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସୋସିଆଲ ମିଡିଆରେ କୌଣସି ଭାଇରାଲ ପ୍ରଶ୍ନ ପତ୍ରକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲେ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ। ମୋଟ ୧୯ଟି ସିଟିଂରେ ହେବ ପରୀକ୍ଷା। ପ୍ରତେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ। ଏହା ଭିତରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିବ ତେଣୁ ସେମାନଙ୍କ ସୂଚିକୁ ଦେଖି ମାଟ୍ରିକ ପରୀକ୍ଷା ଯେଉଁ ଦିନ ରହିଛି ସେଦିନ ଯୁକ୍ତ ପରୀକ୍ଷା ରଖାଯାଇନାହିଁ। ସମସ୍ତ ପ୍ରସ୍ତୁତି ରହିଛି। ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନ ପତ୍ର ପରୀକ୍ଷା ହବରେ ପଂହଁଚି ସରିଛି। ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି। ପ୍ରଶ୍ନ ପତ୍ର ବିଭ୍ରାଟ ହେବ ନାହିଁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ। ପରୀକ୍ଷା ଆରମ୍ଭ ୧୦ଟାରେ ହେବ। ୩୦ ମିନିଟ ପୂର୍ବରୁ ସେଣ୍ଟରରେ ପଂହଚିବେ ଛାତ୍ର ଛାତ୍ରୀ। ୧୫ ମିନିଟ ପୂର୍ବରୁ ପରୀକ୍ଷା ହଲରେ ପହଁଚିବା ପାଇଁ ସୂଚନା ଦିଆଯାଇଛି। ପ୍ରଶ୍ନ ପତ୍ର ଏବଂ ଉତ୍ତର ଖାତାକୁ ସଠିକ ଭାବେ ଯାଞ୍ଚ କରିବାକୁ ପିଲାମାନଙ୍କୁ ତାଗିଦ କରାଯାଇଛି। ଉତ୍ତର ଖାତାରେ ଠିକ ଭାବେ ନିଜ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ପୂରଣ କରିବା ଦରକାର। ଇଏମଏଚ (ଏକଜାମିନେସନ ମ୍ୟାନେଜମେଣ୍ଟ ହଲ)ସହ ମିଟିଂ କରାଯାଇଛି। ପରୀକ୍ଷାରେ କୌଣସି ତ୍ରୁଟି ନହେବା ପାଇଁ ପୁରା ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦରେ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି। କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ଭୁଲ ହେଲେ ତାର ଯାଞ୍ଚ କରାଯାଇପାରିବ। ପରୀକ୍ଷାର୍ଥୀ ପରୀକ୍ଷା ହଲକୁ କୌଣସି ଇଲୋକଟ୍ରୋନିକ ଜିନିଷ ନେଇପାରିବେ ନାହିଁ। ପାଣି ବୋତଲ, ଜ୍ୟାମିତି ବାକ୍ସ , ଆଡ଼ମିଟ କାର୍ଡ ସହ ପେନ ନେଇପାରିବେ। ସେପଟେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅଧିକ ୧ ଘଂଟା ସମୟ ଦିଆଯିବ। ଖୋର୍ଧାରେ ୬୧ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଗଞ୍ଜମ ୭୩, ବାଲେଶ୍ୱର ୬୬ ଓ ମାଲକାନଗିରିରେ ୧୪ ପରୀକ୍ଷା କେନ୍ଦ୍ର ହୋଇଛି ।