ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ରାଜସ୍ଥାନର ସମସ୍ତ ପେଟ୍ରୋଲ ପମ୍ପ ଅପରେଟର

ଜୟପୁର: ରାଜସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଛନ୍ତି ପେଟ୍ରୋଲ ପମ୍ପ ଅପରେଟର । ଶୁକ୍ରବାର ସକାଳ 6ଟାରୁ ଅଞ୍ଚଳର ସମସ୍ତ ପେଟ୍ରୋଲ ପମ୍ପ ଅପରେଟରମାନେ ଧାରଣା ଦେଇଛନ୍ତି । ଏହାପୂର୍ବରୁ ପେଟ୍ରୋଲ ପମ୍ପ ପକ୍ଷରୁ ସେପ୍ଟେମ୍ବର 13 ଓ 14 ଦୁଇଦିନ ଧରି ଅପରେଟମାନେ ସାଙ୍କେତିକ ଧାରଣା ଦେଇଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବାରୁ ରାଜସ୍ଥାନ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଗୁରୁବାର ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ କାଳ ଯାଏ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା । ଏବେ ଏଠାରେ କମ୍ପାନୀ ଦ୍ୱାରା ଚାଳୁଥିବା 60ଟି ପେଟ୍ରୋଲ ପମ୍ପ ଖୋଲା ରହିଛି । ପେଟ୍ରୋଲ ପାଇଁ ଏହି ପମ୍ପଗୁଡିକରେ ଲମ୍ବା ଲାଇନ ଲାଗିଛି ।
ଆସୋସିଏସନର ଅଧ୍ୟକ୍ଷ ରାଜେନ୍ଦ୍ର ସିଂ ଭାଟି ଏବଯ ମହାସଚିବ ଶଶାଙ୍କ କୋରାନୀ କହିଛନ୍ତି ଯେ, ରାଜ୍ୟରେ କୌଣସି ପେଟ୍ରୋଲ ପମ୍ପରୁ ବିକ୍ରି ହେବନି କି ଡିପୋରୁ ମାଲ ଉଠିବନି । ରାଜସ୍ଥାନ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ପଞ୍ଜାବ ପରି ରାଜ୍ୟରେ ମଧ୍ୟ ଭାଟ ହ୍ରାସ କରିବାକୁ ନେଇ ଜୋର ଧରିଛି ମାମଲା । ସରକାର ଭାଟ କମାଇବାକୁ ପ୍ରସ୍ତୁତ ନାହାନ୍ତି । ତେଣୁ ପୂର୍ବ ଘୋଷଣା ଅନୁସାରେ ଶୁକ୍ରବାର ସକାଳ 6ଟାରୁ ରାଜ୍ୟର 6900 ପେଟ୍ରୋଲ ପମ୍ପ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ଅନ୍ୟପଟେ ମନ୍ତ୍ରୀ ପ୍ରତାପ ସିଂହ ଖାଚରିୟାଭାସ କହିଛନ୍ତି ଯେ, କେନ୍ଦ୍ରର ଏକ୍ସାଇଜ ଡ୍ୟୁଟି କାରଣରୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେଉଛି । କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି କମ୍ କରନ୍ତୁ । ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ଦାବି ଉପରେ ସରକାର ବିଚାର କରିବେ । ଲୋକଙ୍କ ହିତକୁ ଦୃଷ୍ଟିରେ ପେଟ୍ରୋଲ ପମ୍ପ ଗୁଡିକ ଧାରଣାରୁ ଓହରିଯାଆନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।