
ଉଚ୍ଚ ମୁଦ୍ରାସ୍ପିତି ଏବେ ମୂଲ୍ୟବୃଦ୍ଧିର କାରଣ ପାଲଟିଛି। ଡିଜେଲ ମହଙ୍ଗା ହେବା ଯୋଗୁ ପରିବହନ ମହଙ୍ଗା ହୋଇଥିବା ବେଳେ ମୂଲ୍ୟ ବୃଦ୍ଧିକୁ ତେଜିଛି। ଏଥିରେ ଖୁବ୍ ଶୀଘ୍ର ଖୁସିଖବର ମିଳିପାରେ ବୋଲି ଆଶା କରାଯାଉଛି। କେନ୍ଦ୍ରର ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ ପାଇଁ ଏବେ ଆକ୍ସନ ମୋଡକୁ ଆସିଛନ୍ତି। ତୈଳ ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟି ନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଯଦି ଅର୍ଥମନ୍ତ୍ରାଳୟଙ୍କ ସହ ଆଲୋଚନା ସଫଳ ହୁଏ ତେବେ ପେଟ୍ରୋଲ ଓ ଡିଜେଲ ଦରରେ ତତ୍କାଳ ହ୍ରାସ ହେବା ସହ ଗ୍ରାହକ ଆଶ୍ୱସ୍ତ ହେବେ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ। ଫଳରେ ସାରା ଦେଶରେ ବଢ଼ି ବଢ଼ି ଚାଲିଥିବା ତୈଳ ଦର ନିୟନ୍ତ୍ରିତ ହୋଇଥିବା ବେଳେ ରାଜ୍ୟ ସରକାରମାନେ ଭାଟ ଶୁଳ୍କରେ ରିହାତି ଦେଇ ପରିସ୍ଥିତି ସୁଧାରିବାରେ ସହାୟକ ହୋଇଥିଲେ।
ନଭେମ୍ବର ୨୦୨୧ରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲରେ ୧୦ ଟଙ୍କା ପର୍ଯ୍ୟନ୍ତ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ। ଏହି ପଦକ୍ଷେପ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟରପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରିଥିଲା। ତେବେ ସରକାର ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ମୂଲ୍ ହ୍ରାସ ଲାଗି ଅଣ୍ଟା ଭିଡିଥିବା ବେଳେ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ଦର ପୁଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସରକାର ବଜାରରେ ଏଲପିଜି ଦର ଉପରେ ନଜର ରଖି ରହିଛନ୍ତି। ଯଦି ମୂଲ୍ୟବୃଦ୍ଧି ହୁଏ କେତେ ବଢିବ ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ।