
ଲମତାପୁଟ : ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ରିଡ଼ାଲ ଗାଁ ନିକଟରେ । ମୃତ ବ୍ୟକ୍ତିଙ୍କ ନାଁ ଜଗନ୍ନାଥ ହଞ୍ଜରିଆ। ତିନି ଆହତ ହେଉଛନ୍ତି ବିବେକ ମୁଦୁଲି, ଜଗନ୍ନାଥଙ୍କ ଝିଅ ଓ ତାଙ୍କର ଜଣେ ସଂପର୍କୀୟ ବାବୁଲା ହଞ୍ଜରିଆ। ଗୁରୁତର ଆହତ ବିବେକ ମୁଦୁଲିଙ୍କ ଘର ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବାଲିକୁଣ୍ଡା ଗାଁରେ। ସେ ଅନକାଡେଲି ହାଟରୁ ବାଇକ୍ ଯୋଗେ ଫେରୁଥିବା ବେଳେ ବିପରୀତ ଦିଗରୁ ବାଇକ୍ରେ ଆସୁଥିଲେ ଜଗନ୍ନାଥ, ତାଙ୍କ ଝିଅ ଓ ସଂପର୍କୀୟ ବାବୁଲା। ଜଗନ୍ନାଥ ତାଙ୍କ ଝିଅ ଓ ସଂପର୍କୀୟଙ୍କ ସହିତ ଗୋପୀଖିଲରୁ ଆସୁଥିଲେ। ରିଡ଼ାଲ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିଲା। ଆହତ ତିନି ଜଣଙ୍କୁ ପ୍ରଥମେ ଅନକାଡ଼େଲି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।