
କେନ୍ଦ୍ର ସରକାର ଭାରତୀୟ ଜୀବନ ବିମା ନିଗମ (LIC)ର ଆଇପିଓ ଜାରି କରିବାକୁ ଯାଉଛନ୍ତି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ମାସରେ ଏଲଆଇସିର ଆଇପିଓ ଲଞ୍ଚ ହୋଇପାରେ । ମାର୍ଚ୍ଚ ୧୫ ପାଖାପାଖି ଯେକୌଣସି ତାରିଖରେ ଆଇପିଓର ଲଞ୍ଚିଂ ନେଇ ଅନୁମାନ କରାଯାଉଛି। ତେବେ ଚଳିତ ଆର୍ଥିକ ବର୍ଷର ଶେଷ ସପ୍ତାହରେ ସେୟାର ବାଜରରେ ଏଲଆଇସିର ଲିଷ୍ଟିଂ ହୋଇପାରେ। ଅର୍ଥାତ ଏଲଆଇସିର ଆଇପିଓ ଲଞ୍ଚିଂକୁ ଆଉ ମାତ୍ର ଦୁଇ ମାସର ଅପେକ୍ଷା କରିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ଏଲଆଇସି ଦେଶର ସବୁଠାରୁ ବଡ଼ ଆଇପିଓ ହେବାକୁ ଯାଉଛି । କେନ୍ଦ୍ର ସରକାର ଏହା ଜରିଆରେ ୧୦ରୁ ୧୫ ପ୍ରତିଶତ ଅଂଶ ବିକ୍ରି କରି ୯୦ ହଜାରରୁ ୧ ଲକ୍ଷ କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି । ଏହା ପୂର୍ବରୁ ଏଲଆଇସି ଡାଃ ଲାଲ ପାଥୋଲ୍ୟାବ ଲିମିଟେଡରେ ଅଂଶ କିଣିଥିଲା। କମ୍ପାନୀ ଅକ୍ଟୋବର-ଡିସେମ୍ୱର ୨୦୨୧ର ଅବଧିରେ ଏହି ହେଲଥ୍ କେୟାର କମ୍ପାନୀରୁ ଅଂଶଧନ କରିଥିଲା । ଏହାପରେ ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଡାଃ ଲାଲ ପାଥଲ୍ୟାବ ଲିମିଟେଡର ସେୟାର ମୂଲ୍ୟରେ ୨ ପ୍ରତିଶତ ବୃଦ୍ଧି ସହ ୩ ହଜାର ୭୬୫ ଟଙ୍କା ହୋଇଥିଲା।