Breaking PLUSଦେଶମୁଖ୍ୟ ଖବରରାଜନୀତି

୨୦୨୪ ନିର୍ବାଚନ ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଲଢିବ କି ବିଜେପି ?

ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚାରେ ଓଡିଆ ପୁଅ

କଂଗ୍ରେସର ଅଧ୍ୟକ୍ଷ ପଦ ନେଇ ଜାରି ପ୍ରକ୍ରିୟା ମଧ୍ୟରେ ଭାରତୀୟ ଜନତା ପାର୍ଟିର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କାରଣ ଜାନୁଆରୀ ମାସରେ ବର୍ତ୍ତମାନର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। କିଏ ଧରିବେ ବିଶ୍ଵର ସବୁଠୁ ବଡ ରାଜନୈତିକ ଦଳର ମଙ୍ଗ। ଏହାକୁ ନେଇ ଚର୍ଚ୍ଚାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ। ଜାତୀୟସ୍ତର ରାଜନୀତିରେ ବିଜେପି ନେତୃତ୍ଵଙ୍କ ଭରସା ଜିତିଥିବା ଧର୍ମେନ୍ଦ୍ର ପ୍ରଧାନ ଜେପି ନଡ୍ଡାଙ୍କ ସ୍ଥାନ ନେବାର ସମ୍ଭାବନା ରହିଛି। ଉଲ୍ଲେଖନୀୟ ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ସରୁଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ସହ ଅନେକ ବିଭାଗର ପ୍ରମୁଖ ପଦରେ ଅଧିଷ୍ଠିତ ଅଛନ୍ତି ଓଡିଆ। କଣ ସବୁଠାରୁ ବଡ଼ ରାଜନୈତିକ ଦଳର ମୁଖ୍ୟ ହେବେ କି ଧର୍ମେନ୍ଦ୍ର ପ୍ରଧାନ। ଦିଲ୍ଲୀ ଦରବାରର ଏବେ ଏମିତି ଚର୍ଚ୍ଚା ହେଉଛି। ବର୍ତ୍ତମାନ ବିଜେପି ସଭାପତି ଥିବା ଜେପି ନଡ୍ଡା କାର୍ଯ୍ୟକାଳ ଆସନ୍ତା ଜାନୁଆରୀ ମାସରେ ଶେଷ ହେଉଛି।

ଏହା ପୂର୍ବରୁ କିଏ ହେବ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ସଭାପତି ସେନେଇ ଅଙ୍କକଷା ଆରମ୍ଭ ହୋଇ ଯାଇଛି। ତେବେ ଏହି ପଦ ପାଇଁ ସର୍ବାଗ୍ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଅନେକ ରାଜ୍ୟରେ ପ୍ରଭାରୀ ରହି ବିଜେପିକୁ ନିର୍ବାଚନୀ ବୈତରଣୀ ପାରି କରାଇଛନ୍ତି। ସେ ଉତ୍ତର ପ୍ରଦେଶ ହେଉ କି ବିହାର କିମ୍ବା କର୍ଣ୍ଣାଟକ ଏସବୁ ଗୁରୁତ୍ଵପୂର୍ଣ୍ଣ ରାଜ୍ୟର ପ୍ରଭାରୀ ରହି ନିଜର ସାଂଗଠନିକ ଦକ୍ଷତା ଦେଖାଇଛନ୍ତି ଧର୍ମେନ୍ଦ୍ର। ଅନେକ ସଙ୍କଟ ସମୟରେ ଦଳର ସଙ୍କଟମୋଚକ ସାଜିଥିବା ଧର୍ମେନ୍ଦ୍ର କେନ୍ଦ୍ରୀୟ ନେତୃତ୍ଵଙ୍କ ବିଶ୍ବାସ ଭାଜନ ହୋଇପାରିଛନ୍ତି। ଏହି ଦକ୍ଷ ନେତାଙ୍କ ଉପରେ ପାର୍ଟିର ବରିଷ୍ଠ ନେତାଙ୍କ ଭରସା ରହିଛି। ତାଙ୍କର ଦକ୍ଷତା ପାଇଁ ବିଜେପି ଅନେକ ଗୁରୁତ୍ଵପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନରେ ଆଶାତୀତ ସଫଳତା ପାଇଛି। ସେହିପରି ନୂତନ ଶିକ୍ଷାନୀତିକୁ ଲାଗୁ କରାଇବା ଦିଗରେ ପ୍ରତିବନ୍ଧକ ହଟାଇ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି। ନୂତନ ଶିକ୍ଷା ନୀତିର ସଫଳ ରୂପାୟନରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଦିବଙ୍ଗତ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ ନେତା ଅରୁଣ ଜେଟଲୀ ଯେମିତି ବିଜେପିର ସଙ୍କଟମୋଚକ ଥିଲେ ଏବେ ଧର୍ମେନ୍ଦ୍ର ପ୍ରଧାନ ସେହି ଦାୟିତ୍ଵ ତୁଲାଉଥିବା କହିଲେ ଅତ୍ୟୁକ୍ତି ହେବନି। ତେଣୁ ଦଳ ତାଙ୍କୁ ଗୁରୁ ଦାୟିତ୍ବ ଦେଇପାରେ। ଜାନୁଆରୀ ପରେ ଦଳର ପରବର୍ତ୍ତୀ ସଭାପତି ପାଇଁ ନିର୍ବାଚନ ହେବ। ଏଥିରେ ନଡ୍ଡାଙ୍କୁ ଆଉ ଥରେ ଦଳ ସୁଯୋଗ ଦେଇପାରେ ବୋଲି କୁହାଯାଉଛି। ଏମିତିରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଥାଏ। ଯଦି ନଡ୍ଡାଙ୍କ କାର୍ଯ୍ୟକାଳ ପୁନର୍ବାର ୩ ବର୍ଷ ପାଇଁ ବଢ଼ାନଯାଏ ତେବେ ଅତିକମରେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦଳ ତାଙ୍କୁ ସଭାପତି ରଖିପାରେ। ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଧ୍ୟକ୍ଷ ପଦ ମିଳେ ତେବେ ବିଜେପି ତାଙ୍କ ଅଧ୍ୟକ୍ଷତାରେ ୨୦୨୪ ଲୋକସଭା ନିର୍ବାଚନ ଲଢିବ। ସୂଚନାଯୋଗ୍ୟ, ୨୦୨୦ ବିଜେପି ଅଧ୍ୟକ୍ଷ ନିର୍ବାଚନ ସମୟରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଚର୍ଚ୍ଚାରେ ଥିଲା। ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜସ୍ଥାନରୁ ଆସିଥିବା ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଭୂପେନ୍ଦ୍ର ଯାଦବ ଏବେ ଏବେ ନିର୍ବାଚନୀ ବୋର୍ଡରେ ସାମିଲ ହୋଇଛନ୍ତି। ଯେତେବେଳେ କି ଧର୍ମେନ୍ଦ୍ର ପ୍ରଧାନ ବହୁ ପୂର୍ବରୁ କେନ୍ଦ୍ରୀୟ ବୋର୍ଡରେ ରହିଛନ୍ତି। ତେଣୁ ଦଳ ଧର୍ମେନ୍ଦ୍ରଙ୍କୁ ନେତୃତ୍ବ ଦେବା ସମ୍ଭାବନା ଅଧିକ। ଏମିତି ହେଲେ କୌଣସି ରାଷ୍ଟ୍ରୀୟ ଦଳର ମୁଖ୍ୟ ହେବାରେ ସେ ହେବେ ପ୍ରଥମ ଓଡ଼ିଆ।

Show More

Related Articles

Back to top button