Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଏଣିକି ଆଉ କ୍ଷମା ନାହିଁ, କୋଭିଡ ନିୟମ ପାଳନ ନକଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସମୀର ରଞ୍ଜନ ଦାଶ

ଚିନ୍ତା ବଢ଼ାଇଲାଣି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ । କରୋନା ଲାଗି ପ୍ରାୟ ଦେଢ଼ବର୍ଷ ପରେ ରାଜ୍ୟରେ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଲୋଚନା କରିବା ପରେ ସ୍କୁଲ ଖୋଲିବା ନେଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ କେବଳ ନବମ ଏବଂ ଦଶମ ଶ୍ରେଣୀ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି । ତେବେ ଶ୍ରେଣୀ ଶିକ୍ଷାଦାନ ସହ ଅନ୍‌ଲାଇନ୍ ପାଠପଢ଼ା ମଧ୍ୟ ଜାରି ରହିଛି ।ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲ ଯାଉଛନ୍ତି ସେମାନେ ଅଭିଭାବକଙ୍କ ଅନୁମତିପତ୍ର ସ୍କୁଲରେ ଦାଖଲ ମଧ୍ୟ କରିଛନ୍ତି ।

କୋଭିଡ ଲାଗି ଶିକ୍ଷାନୁଷ୍ଠାନଗୁଡିକରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ଗତ କିଛି ଦିନ ହେବ ଶିକ୍ଷାନୁଷ୍ଠାନ କରୋନା କବଳକୁ ଚାଲିଯାଇଛି । ବୁର୍ଲା ସ୍ଥିତ ଭିମ୍‌ସାରରେ ୬୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାର ଏକ ବାଳିକା ଉଚ୍ଚ ବିଦ୍ୟାଳୟର ୫୦ରୁ ଅଧିକ ଏବଂ ଆଜି ସୁନ୍ଦରଗଡ ଜିଲ୍ଲାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ୨୬ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଗଣଶିକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମ୍ପୃକ୍ତ ଜିଲ୍ଲାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶଶସନ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ବର୍ତ୍ତମାନ ରାଜ୍ୟର ଅନ୍ୟ ସ୍କୁଲଗୁଡିକର ସ୍ଥିତି ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ଯାଞ୍ଚ କରି ରିପୋର୍ଟ ଦୈନିକ ବିଭାଗକୁ ପଠାଇବା ଲାଗି କୁହାଯାଇଛି । ଏପରିକି ଆଉ କ୍ଷମା ନାହିଁ ଏଣିକି କୋଭିଡ ଗାଇଡଲାଇନ୍ ପାଳନ କରୁନଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଏହା ଯେପରି ଉଗ୍ରରୂପ ନନିଏ ସେଥିଲାଗି ଆଗୁଆ ପଦକ୍ଷେପ ନେବା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିଲା ତାକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଦୈନିକ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅନୁଧ୍ୟାନ କରାଯିବ । ଏହାବ୍ୟତୀତ ସେମାନଙ୍କ ପରିବାରର ଯଦି କେହି କରୋନାରେ ସଂକ୍ରମିତ ହୋଇଥାଏ ତେବେ ସେ ସମ୍ପର୍କରେ ଆଗୁଆ ସୂଚନା ଦେବାଲାଗି ଅଭିଭାବକଙ୍କୁ ନିବେଦନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକଶିକ୍ଷା ଅଧିକାରୀଙ୍କ ସମେତ ସିଆର୍‌ସିସି ଏବଂ ବିଆର୍‌ସିସି ଦୈନିକ ଜିଲ୍ଲାର ସବୁ ସ୍କୁଲ ପରିଦର୍ଶନ କରିବେ । ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନର ସାହାଯ୍ୟ ନେଇପାରିବେ । ରାଜ୍ୟ ସରକାର ଶିକ୍ଷକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଗୁଣାତ୍ମକଶିକ୍ଷା ଏବଂ ଉନ୍ନତ ଭିତ୍ତିଭୂମି ଲାଗି ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ଏହାପୂର୍ବରୁ ପିଲାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ରାଜ୍ୟର ଅନ୍ୟ ସ୍କୁଲରେ ଯେପରି ଛାତ୍ରଛାତ୍ରୀ କେରାନା ସଂକ୍ରମିତ ନହୁଅନ୍ତି ସେଥିଲାଗି ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ପ୍ରତିଦିନ ଜିଲ୍ଲାୱାରୀ ସ୍କୁଲ ରିପୋର୍ଟ ମନ୍ତ୍ରୀ ନିଜେ ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ସେହିପରି ବିଭାଗ ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଖୋଦ ମନ୍ତ୍ରୀ ଚିନ୍ତିତ । ତେବେ ପୂର୍ବପରି ଯେପରି ସମସ୍ୟା ନହୁଏ ସେଥିଲାଗି ପ୍ରାକ୍ ସତର୍କତା ବ୍ୟବସ୍ଥା ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍‌କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ବିଭାଗ ପକ୍ଷରୁ କସରତ ଆରମ୍ଭ ହୋଇଛି ।

ତେବେ ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ । ଅନଲାଇନ୍ ପାଠପଢ଼ାକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବସ୍ଥା କରାଯିବ । ତେବେ ପିଲାଙ୍କ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ଥିବା ସ୍କୁଲ ଖୋଲିବ ନାହିଁ । ସ୍କୁଲ ପରିସର ନିୟମିତ ସାନିଟାଇଜ କରାଯିବ । ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ସହ ପିଲାମାନେ ଯେପରି ହାତ ସାନିଟାଇଜ କରିବେ ସେଥିଲାଗି ସ୍କୁଲ ପକ୍ଷରୁ ବ୍ୟବସ୍ଥା କରାଯିବ । ଶ୍ରେଣୀର ଆୟତନ ଅନୁଯାୟୀ କମ୍ ପିଲା ବସିବେ ।

ସର୍ବାଧିକ ୧୫ରୁ ୨୦ ଜଣ ଛାତ୍ରଛାତ୍ରୀ ଶ୍ରେଣୀରେ ବସିବା ଲାଗି ବ୍ୟବସ୍ଥା କରାଯିବ । ସବୁ ସ୍କୁଲରେ ସରକାରଙ୍କ କଟକଣାକୁ କିଭଳି ଭାବେ ପାଳନ କରାଯାଉଛି ତାହାର ଯାଞ୍ଚ ସ୍ୱତନ୍ତ୍ର ମିନଟରିଂ ଟିମ୍ କରିବ । ମନିଟରିଂ ଟିମ୍ ସ୍କୁଲ ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ନିୟମିତ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲାରେ କୋଭିଡ ସ୍ଥିତିକୁ ନଜରରେ ରଖି ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଗ୍ରହଣ କରିବେ ।

Show More

Related Articles

Back to top button